ନୂଆଦିଲ୍ଲୀ: ପିଲାଙ୍କ କରୋନା ଟିକାକରଣକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି। ପିଲାଙ୍କ ଲାଗି ଜାଇଡସ କେଡିଲା ଦ୍ୱାରା ପ୍ରସ୍ତୁତ ZyCov-D ଭ୍ୟାକ୍ସିନକୁ ଜରୁରୀକାଳୀନ ଉପଯୋଗ ଲାଗି ମଞ୍ଜୁରୀ ମିଳିଯାଇଛି। ଏହି ଭ୍ୟାକ୍ସିନ ୧୨ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟା କହିଛନ୍ତି ଯେ, ଜାଇଡସ କେଡିଲା ଭ୍ୟାକ୍ସିନର ଉତ୍ପାଦନ ଜୋରଦାର ଚାଲିଛି ଏବଂ ଏହା ଖୁବଶୀଘ୍ର ଉପଲବ୍ଧ ହେବ। ଏହି ଭ୍ୟାକ୍ସିନର ମୂଲ୍ୟକୁ ନେଇ ମଧ୍ୟ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବ।
ଅନ୍ୟପଟେ ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଭ୍ୟାକ୍ସିନକୁ ନେଇ ମଧ୍ୟ ଡିସିଜିଆଇ ଅନୁମତିକୁ ଅପେକ୍ଷା କରାଯାଇଛି। କମ୍ପାନୀ ସମସ୍ତ ତଥ୍ୟ ଦାଖଲ କରିସାରିଥିବା ବେଳେ ବିଶେଷଜ୍ଞ ଟିମ୍ ଏନେଇ ଚର୍ଚ୍ଚା ଜାରି ରଖିଛି।