ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷିତ ତାଲିକା ପ୍ରକାଶ, ୫୦% ମହିଳା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷିତ ତାଲିକା ପ୍ରକାଶ ପାଇଛି । ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଶନିବାର ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷିତ ତାଲିକା ପ୍ରକାଶ କରାଯାଇଛି । ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ ୧୯୯୯ର ଧାରା ଓ ଅନ୍ତର୍ଗତ ଉପଧାରା (୩)ରେ ଅନୁଯାୟୀ ଜିଲ୍ଲା ପରିଷଦରେ ଅଧ୍ୟକ୍ଷ ପଦବୀଗୁଡିକୁ ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ ପାଇଁ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାର ସର୍ବସାଧାରଣଙ୍କଠାରୁ ଅଭିଯୋଗ ଓ ପରାମର୍ଶ ଆହ୍ୱାନ କରିଥିଲେ । ଧାର୍ଯ୍ୟ ସମୟ ସୀମା ମଧ୍ୟରେ ମିଳିଥିବା ଅଭିଯୋଗ ଓ ପରାମର୍ଶଗୁଡ଼ିକୁ ବିଚାର କରି ରାଜ୍ୟ ସରକାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଗୁଡ଼ିକୁ ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିଛନ୍ତି ।

ପ୍ରକାଶିତ ତାଲିକାରେ ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେଓଗଡ଼, ନୟାଗଡ଼, ବରଗଡ଼, ବାଲେଶ୍ୱର ଓ ସୋନପୁର ଜିଲ୍ଲା ଅଣସଂରକ୍ଷିତ ରହିଛି । ମହିଳାଙ୍କ ପାଇଁ କନ୍ଧମାଳ (ଏସ୍‌ଟି), କେନ୍ଦ୍ରାପଡ଼ା (ଏସ୍‌ସି), କୋରାପୁଟ (ଏସ୍‌ଟି), ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡ଼ା, ଢେଙ୍କାନାଳ, ନୂଆପଡ଼ା, ପୁରୀ, ବଲାଙ୍ଗିର, ବୌଦ୍ଧ (ଏସ୍‌ସି), ମାଲକାନାଗିରି (ଏସ୍‌ଟି), ଯାଜପୁର (ଏସ୍‌ସି), ରାୟଗଡ଼ା (ଏସ୍‌ଟି) ଓ ସମ୍ବଲପୁର ଆସନ ରଖାଯାଇଛି । ଏହାବ୍ୟତୀତ ଅନୁସୂଚିତ ଜନଜାତିଙ୍କ ପାଇଁ ନବରଙ୍ଗପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଆସନ ଥିବା ବେଳେ ଅନୁସୂଚିତ ଜାତିଙ୍କ ପାଇଁ ଜଗତସିଂହପୁର ଓ ଭଦ୍ରକ ଆସନ ରହିଛି ।