ଜିଲ୍ଲା ପରିଷଦ ଉପ-ନିର୍ବାଚନ: ଉଭୟ ଆସନରେ ବିଜେଡିର ବାଜିମାତ୍

କୋରାପୁଟ, ପଟ୍ଟାଙ୍ଗୀ,ଏନ୍ଏନ୍ଏସ୍: ରାଜ୍ୟର ୩ଟି ଜିଲ୍ଲାର ୪ଟି ଆସନରେ ହେଉଥିବା ଜିଲ୍ଲା ପରିଷଦ ଉପ-ନିର୍ବାଚନ ଫଳ ପ୍ରକାଶ ପାଇଛି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଓ ଦଶମନ୍ତପୁର ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ସମେତ ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲା ପରିଷଦ ଆସନରେରେ ବିଜେଡି ପ୍ରାର୍ଥୀ ବାଜିମାତ୍ କରିଛନ୍ତି। ପଟ୍ଟାଙ୍ଗୀ ବ୍ଲକ ଜୋନ୍ ୧ର ବିଜୁ ଜନତା ଦଳ ପ୍ରାର୍ଥୀ ଲଇଛନ ଖରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ତ୍ରିପତି ସାରାଙ୍କ ଠାରୁ ୨୬୭୩ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ଲଇଛନ ଖରାଙ୍କୁ ମୋଟ ୭୨୮୯ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ୪୬୧୬ ଓ ବିଜେପିର ରାଜେଶ ହନ୍ତାଳ ପାଇଛନ୍ତି ୩୦୨୧ ଭୋଟ୍।

ଫଳାଫଳ ଘୋଷଣା ପରେ ନବ ନିର୍ବାଚିତ ସଦସ୍ୟଙ୍କୁ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ୍, ପଟ୍ଟାଙ୍ଗୀ ବିଧାୟକ ପୀତମ୍ ପାଢ଼ୀ, ଜିଲ୍ଲା ପରିଷଦ ଉପ-ସଭାପତି ନାରସୁଲ୍ କାମୁଡ଼ି, ପୂର୍ବତନ ବିଧାୟକ ପ୍ରଫୁଲ ପାଙ୍ଗିଙ୍କ ସମେତ ଶତାଧିକ କର୍ମୀ ଅଭିନନ୍ଦନ ଜଣାଇବାସହ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ। ସେହିପରି ଦଶମନ୍ତପୁର ବ୍ଲକ୍ ଜୋନ୍ ୧ରେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ କହ୍ନେଇ ଯାନୀ କଂଗ୍ରେସ ପ୍ରାର୍ଥୀ ନରି ହିକକାଙ୍କ ଠାରୁ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଯାନୀ, ଦଶମନ୍ତପୁର ବ୍ଲକ୍ ଅଧ୍ୟକ୍ଷା ସୁନାମଣି ମୁଦୁଲିଙ୍କ ସମେତ ହଜାର ହଜାର କର୍ମୀ ନବ ନିର୍ବାଚିତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଥାଉକି, ପଟ୍ଟାଙ୍ଗୀ ବ୍ଲକର ଜୋନ୍ -୧ର ଜିଲ୍ଲା ପରିଷଦ ସଦସ୍ୟ ଡୁମୁରୀ ଖୀଲଙ୍କର ଗତ ମାର୍ଚ୍ଚ ୨ ତାରିଖରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବାରୁ ଓ ଦଶମନ୍ତପୁର ବ୍ଲକର ଜୋନ୍-୧ ରୁ ନିର୍ବାଚିତ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ପ୍ରଭୂ ଯାନୀ ୨୦୧୯ ସାଧାରଣ ନିର୍ବାଚନରେ ଲକ୍ଷ୍ମୀପୁର ବିଧାୟକ ଭାବେ ନିର୍ବାଚିତ ହେବାପରେ ଉକ୍ତ ଆସନଗୁଡିକ ଖାଲି ପଡ଼ିବାରୁ ଉପ-ନିର୍ବାଚନ କରାଯାଇଥିଲା।

ଅନ୍ୟପକ୍ଷରେ ଛତ୍ରପୁରର ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ପ୍ରଧାନ ୧୧୧୬୨ ଖଣ୍ଡ ଭୋଟ ପାଇ ବିଜୟଲାଭ କରିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଗରଥୀ ପ୍ରଧାନ ୨୩୯୦ ଖଣ୍ଡ ଭୋଟ ପାଇଛନ୍ତି। ବିଜୟ ପରେ ପ୍ରମୋଦ କୁମାର ପ୍ରଧାନ ଛତ୍ରପୁର ବଜାରରେ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି। ଅନ୍ୟପକ୍ଷରେ ଖବର ଲେଖା ହେବା ପର୍ଯ୍ୟନ୍ତ ଯାଜପୁରର ଜିଲ୍ଲା ଦାନଗଡ଼ି ଜିଲ୍ଲା ପରିଷଦ ଫଳାଫଳ ନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ।