ଜରାସିଂହା ଡବଲ ମର୍ଡର ଘଟଣା: ୩୬ ଘଣ୍ଟା ପରେ ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର, ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗୀର ଜରାସିଂହା ଗାଁରେ ଡବଲ ମର୍ଡର ମାମଲାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଉକ୍ତ ଘଟଣାର ୩୬ ଘଣ୍ଟା ପରେ ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଗାଁରେ ଏବେ ବି ଅଶାନ୍ତିକର ବାତବାରଣ ରହିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବିକ, ଶନିବାର ଦିନ ମୁଗ କ୍ଷେତରେ ପାଣି ମଡ଼ାକୁ ନେଇ ବଲାଙ୍ଗୀର ଜରାସିଂହ ଗାଁରେ ଡବଲ ମର୍ଡର ହୋଇଥିଲା । ଶ୍ରୀପତି ନାମକ ଜଣେ ବ୍ୟକ୍ତି ମୁଗ ବାଡ଼ିରେ ପାଣି ଦେବାକୁ ଯାଇ ପାଖରୁ ଜଣଙ୍କଠାରୁ ପମ୍ପ ମାଗି ଆଣିଥିଲେ। ପରେ କ୍ଷେତରେ ପାଣି ଦେବାକୁ ନେଇ ଶ୍ରୀପତିଙ୍କର ଅନ୍ୟ ଜଣେ ଜଣେ ବ୍ୟକ୍ତି ଧନମତଙ୍କ ସହ କଥା କଟାକଟି ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା। ଧନମତ ପାଖରେ ରଖିଥିବା ଗୋଟିଏ ଟାଙ୍ଗିଆ ସାହାଯ୍ୟରେ ଶ୍ରୀପତିଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଶ୍ରୀପତିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପାଖରେ ଥିବା ଶ୍ରୀପତିଙ୍କ ସମ୍ପର୍କୀୟମାନେ ଧନମତକୁ ଆକ୍ରମଣ କରିଥିଲେ। ଉକ୍ତ ଘଟଣାରେ ଅନ୍ୟ ୨ଜଣ କର୍ମସୁନା ଓ ବ୍ରାହ୍ମାସୁନାଙ୍କ ହାତରେ ଟାଙ୍ଗିଆ ଚୋଟ ବାଜିଥିଲା। ଏଥିରେ ସେମାନେ ଗୁରୁତର ହୋଇଥିଲେ। ପରେ ଧନମତଙ୍କ ଘରକୁ ଆସି ଶ୍ରୀପତିଙ୍କ ସମ୍ପର୍କୀୟ ତାଙ୍କୁ ଗୋଟିଏ କାତି ସାହାଯ୍ୟରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଥିଲେ । ତେବେ ଧନମତଙ୍କ ମୃତଦେହ ଶନିବାର ରାତିରୁ ୧୬ ଘଣ୍ଟା ପର୍ୟ୍ୟନ୍ତ ଗାଁରେ ପଡ଼ି ରହିଥିବାବେଳେ ରବିବାର ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି। ଗାଁରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।