ଆନ୍ଧ୍ରପ୍ରଦେଶରେ ଆରମ୍ଭ ହେଲା ‘ୱାଇଏସ୍‌ଆର୍ ବୀମା ଯୋଜନା’

ବିଶାଖାପାଟନମ୍‌,ଏଜେନ୍ସି: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି ଗରିବ ପରିବାରର ସହାୟତା କରିବା ଦିଗରେ ବୁଧବାର ‘ୱାଇଏସ୍ ବୀମା ଯୋଜନା’ ଆରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ରାସନକାର୍ଡ ପ୍ରାପ୍ତ ସମସ୍ତ ପରିବାର ଲାଭବାନ ହେବେ । କୋଭିଡ୍ ମହାମାରୀ ଯୋଗୁଁ ଆର୍ଥିକ ସଙ୍କଟ ମଧ୍ୟଦେଇ କାଳ କାଟୁଥିବା ଗରିବ ପରିବାରର ହିତସାଧନ ପାଇଁ ଏହି ବୀମା ଆରମ୍ଭ କରାଯାଇଥିବା ଜଗନମୋହନ ରେଡ୍ଡି ସୂଚନା ଦେଇଛନ୍ତି ।

ଏହି ଯୋଜନା ଅନୁସାରେ ୧୮-୫୦ବର୍ଷ ମଧ୍ୟରେ କାର୍ଡଧାରୀଙ୍କର ସ୍ୱାଭାବିକ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା, ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ମିଳିବ । ରାସନକାର୍ଡଧାରୀ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ ବିକଳାଙ୍ଗ ହୋଇଥିଲେ ମଧ୍ୟ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ । ସେହିପରି ୫୧-୭୦ ବର୍ଷ ବୟସ୍କ କାର୍ଡଧାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ କିମ୍ବା ସମ୍ପର୍ଣ୍ଣ ଭାବେ ବିକଳାଙ୍ଗ ହେଲେ ୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ ଏବଂ ୧୮-୭୦ବର୍ଷ ବୟସ୍କ କାର୍ଡଧାରୀ କୌଣସି ଦୁର୍ଘଟଣାରେ ଆଂଶିକ ବିକଳାଙ୍ଗ ହେଲେ ଦେଢ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।