ସମ୍ପର୍କୀୟଙ୍କୁ ନେବାକୁ ଯାଇ ଯୁବକ ନିଖୋଜ

ବରଗଡ଼,ଏନ୍‌ଏନ୍‌ଏସ୍‌: ଷ୍ଟେସନରୁ ସମ୍ପର୍କୀୟଙ୍କୁ ଆଣିବାକୁ ଯାଇ ଯୁବକ ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି । ନିଖୋଜ ଯୁବକ ଜଣକ ହେଲେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅଧୀନରେ ଥିବା ଋଷୁଦା ଫାଣ୍ଡିସ୍ଥିତ ଦେଶ ଭଟଲି ବିଶିପାଲିର ବିକିନା ଭାସ୍କରଙ୍କ ଏକମାତ୍ର ପୁଅ ବିକିନା କ୍ରୀଷ୍ଣା(୩୦) । କ୍ରୀଷ୍ଣା ତାଙ୍କ ପୁଅ ଜନ୍ମଦିନ ଆସନ୍ତା ୧୯ତାରିଖରେ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ସାରି ନିଜ ସମ୍ପର୍କୀୟଙ୍କୁ ନେବା ଲାଗି ଅତାବିରା ରେଲୱେ ଷ୍ଟେସନ ପହଞ୍ଚିଥିଲେ । ସମ୍ପର୍କୀୟଙ୍କୁ ଏକ କାର୍ ଯୋଗେ ପଠାଇବା ସହ କ୍ରୀଷ୍ଣା ନିଜ ବାଇକ୍ ମାଧ୍ୟମରେ ଯିବା ବାଟରେ ନିଖୋଜ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । କ୍ରୀଷ୍ଣାଙ୍କୁ ପରିବାର ଲୋକ ବହୁ ଖୋଜାଖୋଜି କରି ନପାଇବାରୁ ଆଜି ସକାଳେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ମୋବାଇଲ ମାଧ୍ୟମରେ ଲୋକେସନ ଦେଖି ଖୋଜାଖୋଜି ଆରମ୍ଭ କରି ଅତାବିରା ଏନଏସି ୱାର୍ଡ ନଂ ୪ ଟେଲିଫୋନ ଏକ୍ସଚେଞ୍ଜ ରାସ୍ତାଦେଇ ଅତାବିରା ଷ୍ଟେସନକୁ ଯିବା ରାସ୍ତାରେ ବିଲ ଭିତରେ ନୀଳ ରଙ୍ଗର ଆପାଚୀ ବାଇକ୍ , ହେଲେମେଟ୍ ଓ ଚପଲକୁ ଦେଖି ଘର ଲୋକେ ଚିହ୍ନଟ କରିଥିଲେ । ଏହାସହ ନିକଟରେ ଆଉ ଏକ ଧାରୁଆ ଛୁରୀ ଦେଖି କିଛି ଅଘଟଣ ଘଟି ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ଜଣାପଡ଼ିଛି । ଏନେଇ ଅତାବିରା ପୁଲିସ ସଦଳବଳେ ଅନୁସନ୍ଧାନୀ କୁକୁର ସାହାଯ୍ୟରେ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।