ଯୁବକଙ୍କୁ ପିଟିପିଟି ହତ୍ୟା

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ରାଉତରାଗଡ଼ିଆ ପାଟଣା ଗାଁର ନକୁଳ ବେହେରାଙ୍କ ପୁଅ ବିଜୟ ବେହେରା। ଗୁରୁବାର ସନ୍ଧ୍ୟାରେ ସେ ଘରକୁ ଫେରୁଥିବା ବେଳେ ୪/୫ଜଣ ଯୁବକ ତାଙ୍କୁ ଲୁହାରଡ୍ ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବିଜୟ ଗାଁରେ ଘର ନିର୍ମାଣ ପାଇଁ ରାସ୍ତାରେ ବାଲି ଗଦାଇଥିଲେ। ଫଳରେ ଯିବାଆସିବାରେ ଅସୁବିଧା ହେଉଥିଲା। ଏ ସମ୍ପର୍କରେ କିଛି ବ୍ୟକ୍ତି ତାଙ୍କୁ ଜଣାଇବା ପରେ ବାଲି ଉଠାଇ ନେବାକୁ ସେ କହିଥିଲେ। ତେବେ ଗୁରୁବାର ସୁଦ୍ଧା ବାଲି ଉଠାଇ ନଥିଲେ। ଆଜି ସେ ଭଦ୍ରକରୁ ଫେରୁଥିବା ବେଳେ ୪/୫ଜଣ ଯୁବକ ଏ ସମ୍ପର୍କରେ ତାଙ୍କୁ ପଚାରିଥିଲେ। ଏହାକୁ ନେଇ ସେମାନଙ୍କ ସହ ବିଜୟଙ୍କର ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ସେମାନେ ବିଜୟଙ୍କୁ ଲୁହା ରଡ୍ ରେ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ଗୁରୁତର ବିଜୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ସମ୍ପର୍କରେ ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି। ଆକ୍ରମଣ କରିଥିବା ଯୁବକମାନେ ଫେରାର୍ ହୋଇଯାଇଛି। ପୁଲିସ କାହାରିକୁ ଗିରଫ କରିନଥିବା ଜଣାଯାଇଛି।