ଟ୍ରେନରୁ ଯୁବକ ଅପହରଣ ମାମଲାରେ ୬ ଫସିଲେ, ୫ ଫେରାର

-୪୮ ଘଂଟା ମଧ୍ୟରେ ପୁଲିସ ଉଦ୍ଧାର କଲା ଅପହୃତ ଯୁବକକୁ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି। ୪୮ ଘଂଟା ନ ବିତୁଣୁ ଏକ ଅପହରଣ ଉଦ୍ୟମ ମାମଲାର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି । ଏହି ଅପହରଣରେ ସାମିଲ ହୋଇଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଛି। ତେବେ ଗିରଫ ୬ ଜଣଙ୍କ ମଧ୍ୟରେ ୩ ଜଣ ନାବାଳିକ ଅଛନ୍ତି। ଘଟଣା ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ୍।

ଘଟଣାକ୍ରମେ ବିଭୂତି ପୂଜାରୀ (୧୯ ) ମହାରାଷ୍ଟ୍ର ପୁନେ ଠାରେ କାର୍ଯ୍ୟରତ ଥିଲେ। ୧୯ ତାରିଖ ଦିନ ପୁନେ ଠାରୁ ବିଶାଖାପାଟଣା ଆସି ନିଜ ପୈତୃକ ଗ୍ରାମ ଏସ.ରାମପୁର ଆସିବା ନିମନ୍ତେ ବିଶାଖାପାଟଣା ଠାରୁ ଟିଟିଲାଗଡ ଆସିବା ନିମନ୍ତେ ଧନବାଦ -ଆଲେପି ଟ୍ରେନରେ ଯାତ୍ରାକରିଥିଲେ। ଯାତ୍ରା ସମୟରେ ୫ ଅପରାଧୀ ରାୟଗଡା ସଦର ମହକୁମା ଠାରୁ ମାତ୍ର ୫ କି.ମି ଦୂରରେ ଲାଡ୍ଡା ଷ୍ଟେସନ ଠାରେ ଅପହରଣ କରିନେଇଥିଲେ।

ଏକ ଧଳା ବୋଲେର ଯୋଗେ ଲାଡ୍ଡା ଠାରେ ଥିବା ଏକ ଆମ୍ବ ବଗିଚା ରାସ୍ତା ଦେଇ ରାୟଗଡା ଅଭିମୁଖେ ବାହାରିଥିଲେ। ୫ ଜଣଙ୍କୁ ସୁରକ୍ଷା ଦେବା ନିମନ୍ତେ ଅନ୍ୟ ୬ ଜଣ ଅଭିଯୁକ୍ତ ଦୁଇ ଚକିଆ ଯାନ ମାଧ୍ୟମରେ ରାୟଗଡା ଅଭିମୁଖେ ବାହାରିଥିଲେ। ଏକ ସୁରକ୍ଷିତ ସ୍ଥାନରେ ବିଭୂତି ପୂଜାରୀକୁ ରଖି ତାଙ୍କ ପିତା ପଂଚାନନ ପୂଜାରୀଙ୍କୁ ପୁଅ ଅପରହଣ ହୋଇଥିବା ସୂଚନା ଦେବା ସହ ୧୦ ଲକ୍ଷ ଟଙ୍କା ନ ଦେଲେ ପୁଅକୁ ମାରି ତାର ମୃତ ଦେହକୁ ପାର୍ସଲ କରିଦେବା ପାଇଁ ଧମକ ଦେଇଥିଲେ। ଏ ନେଇ ପଂଚାନନ ପୂଜାରୀ ରାୟଗଡା ଏସ.ପିଙ୍କୁ ସୂଚନା ଦେଇଥିଲେ। ଘଟଣାକୁ ଗୁରୁତର ସହ ନେବା ସହ ରାୟଗଡା ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ତେବେ ଚଢଉ ସମୟରେ ୬ ଜଣ ଅଭିଯୁକ୍ତଙ୍କ ସହ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ସୁଣ୍ଢି ପ୍ରକାଶ, ଜି.ସୁରେନ୍ଦ୍ର, ସୁଣ୍ଢି ସୁରେଶ ଥିବା ବେଳେ ୩ ଜଣ ନାବାଳକ ଅଭିଯୁକ୍ତ ଅଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଧଳା ରଙ୍ଗର ବୋଲେର, ଗୋଟିଏ ବାଜାଜ ଅଟୋ, ଗୋଟିଏ ବୁଲେଟ, ଗୋଟିଏ ସ୍କୁଟି, ୩ଟି ଟାଙ୍ଗିଆ, ଗୋଟିଏ ଖଣ୍ଡା, ଗୋଟିଏ କାତି, ଗୋଟିଏ ଲୁହା ଛଡ, ଗୋଟିଏ ପିସ୍ତଲ ସହ ୨ଟି ଜିବନ୍ତ ଗୁଳି ଏବଂ ୩ଟି ମୋବାଇଲ ଫୋନ ଜବତ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଧରାଯିବ ବୋଲି ଏସ.ପି ଡ.ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଏସଡିପିଓ ତପନ ନାରାୟଣ ରଥ, ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଉପସ୍ଥିତ ଥିଲେ। ଏ ନେଇ ରାୟଗଡା ଥାନାରେ କେଶ ନଂ ୪୨୫ ପ୍ରକାର ଧାରା ୩୬୪(ଏ), ୩୪ ଆଇପିସି ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଛି।