ପୁଲିସ ମାଡ଼ରେ ଯୁବକ ଗୁରୁତର

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପୁଲିସ ମାଡ଼ରେ ଜଣେ ଯୁବକ ଲହୁଲୁହାଣ ହୋଇଛନ୍ତି। ଯୁବକ ଜଣଙ୍କ ହେଲେ ବିଜିପୁର ପଞ୍ଚାୟତ ମାଳିବେରେଣୀ ଗ୍ରାମର ପ୍ରଦୀପ୍ତ କୁମାର ସାମଲ। ପୁଲିସ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ସୂଚନା ଅନୁସାରେ, ପ୍ରଦୀପ୍ତ ଶନିବାର କିଛି ସାଙ୍ଗମାନଙ୍କ ସହ ବିଜିପୁର ଛକରେ ଗପସପ କରୁଥିଲେ। ସେହି ସମୟରେ ଜଣେ ଜଣାଶୁଣା ବ୍ୟକ୍ତି ଏକ ବାଇକରେ ଆସି ସେଠାରେ ବାଇକଟିକୁ ରଖିଦେଇ ଚାଲିଯାଇଥିଲେ। କିଛି ସମୟ ପରେ ସେଠାରେ ଫତେଗଡ଼ ଥାନାର ଦୁଇ କର୍ମଚାରୀ ପହଞ୍ଚି ଏହି ବାଇକ କାହାର ବୋଲି ପଚରା ଉଚରା କରିବାରୁ ଅନ୍ୟମାନେ ସେଠାରୁ ଚାଲିଯାଇଥିବା ବେଳେ ପ୍ରଦୀପ୍ତଙ୍କୁ ପୁଲିସ ଥାନାକୁ ଉଠାଇ ଆଣିବା ସହ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି।

ଥାନାରେ ପ୍ଲାଷ୍ଟକ ପାଇପରେ ତାଙ୍କୁ ଜଣେ ଏଏସ୍ଆଇ ଓ ଭାପୁର ଫାଣ୍ଡିର କନେଷ୍ଟବଳ ନିସ୍ତୁକ ମାଡ଼ ମାରିବା ସହ ଛାତି ଉପରେ ରଡ଼ ପକାଇ ଠିଆ ହୋଇଯାଇଥିବା ପ୍ରଦୀପ୍ତ ଅଭିଯୋଗ କରିଛନ୍ତି। ଏହି ବାଇକ ଚୋରି ଘଟଣାରେ ତାଙ୍କର କୈାଣସି ହାତ ନଥିବା ବେଳେ କାହିଁକି ପୁଲିସ ଏଭଳି ଆକ୍ରୋଶ ମୂଳକ ପଦକ୍ଷେପ ନେଲା ତାକୁ ନେଇ ଜନସାଧାରଣ ପ୍ରଶ୍ନ କରିଛନ୍ତି।