ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦ ବର୍ଷିୀୟ ଯୁବକ, ଦୀର୍ଘ ଦିନ ଧରି ଥିଲେ ଭେଣ୍ଟିଲେଟରରେ

ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନା ମହାମାରୀ ଘାତକ ସତ, ହେଲେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ । ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ । ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ । ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତ୍ରୁ ସହିତ ଯୁଦ୍ଧ କରିବା ପରେ ଶେଷରେ କୋଭିଡକୁ ପରାଜୟ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରତୀକ୍ଷ । ରାୟଗଡ଼ାସ୍ଥ ମୁନିଗୁଡା ଅଞ୍ଚଳର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ପ୍ରତୀକ୍ଷ କରୋନା ସଂକ୍ରମିତ ହୋଇ ଗତ ଏପ୍ରିଲ୍ ୩୦ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହାସହ ତାଙ୍କର ଶରୀରରେ ଟ୍ରାକିଓଷ୍ଟୁମି ମଧ୍ୟ କରାଯାଇଥିଲା। ତେବେ ସମର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ତାଙ୍କୁ ସୁସ୍ଥ କରିବା ପାଇଁ । ସେମାନଙ୍କର ପରିଶ୍ରମ ସାର୍ଥକ ବି ହୋଇଥିଲା । ଧିରେ ଧିରେ ସୁସ୍ଥ ହୋଇଥିଲେ ପ୍ରତୀକ୍ଷ । ଭେଣ୍ଟିଲେଟରରୁ ବାହାରିବା ସହ କିଛି ଦିନ ମଧ୍ୟରେ ଆଇସିୟୁରୁ ମଧ୍ୟ ତାଙ୍କୁ ବାହାରକୁ ନିଆଯାଇ ୱାର୍ଡରେ ଚିକିତ୍ସା କରାଯାଇଥିଲା । ଧିରେଧିରେ ସୁସ୍ଥ ହେବା ସହ କୋଭିଡମୁକ୍ତ ହୋଇଥିଲେ ପ୍ରତୀକ୍ଷ ।