’SAUBHAGYAA R SWAIN’ ସଫଳ ଓଡ଼ିଆ ଯୁବ ଉଦ୍ୟୋଗୀ, ସମସ୍ତ ଉଦ୍ୟୋଗପତିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୀବନରେ ଆଗକୁ ବଢ଼ିବାକୁ ହେଲେ ଅର୍ଥର ଆବଶ୍ୟକତା ନୁହେଁ। ଇଚ୍ଛା ଓ ମନୋବଳ ଦୃଢ଼ ରହିବା ଦରକାର। ଲକ୍ଷ୍ୟ ପୂରଣ କରିବାକୁ ଯେତିକି ସଂଘର୍ଷ ଦରକାର, ସେତିକି ଆତ୍ମବିଶ୍ୱାସ ମଧ୍ୟ ଆବଶ୍ୟକ। ଏଭଳି ଚିନ୍ତାଧାରାକୁ ପାଥେୟ କରି ଜଣାଶୁଣା ଉଦ୍ୟୋଗପତି ସୌଭାଗ୍ୟ ଆର୍ ସ୍ୱାଇଁ ସଫଳତାର ପାହାଚରେ ପହଞ୍ଚି ପାରିଛନ୍ତି। ସେ Vincitore Group ନାମକ ଏକ ସଂସ୍ଥା ଖୋଲିଛନ୍ତି।

ସୌଭାଗ୍ୟ ବିଦେଶ ଚାକିରି ଛାଡ଼ି ନିଜ ଦେଶ ଓ ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ଆଉ ତାଙ୍କରି ଉଦ୍ୟମରେ ଆଜି ୨୫ରୁ ୩୦ମହିଳା ଏହି ସଂସ୍ଥାରେ ଚାକିରି କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଆଗକୁ ମହିଳା ସଶକ୍ତୀକରଣ ଦିଗକୁ ଧ୍ୟାନରେ ରଖି ଓଡ଼ିଶାରେ ନିଜ କମ୍ପାନୀକୁ ବିସ୍ତାର କରିବେ ବୋଲି ସୌଭାଗ୍ୟ କହିଛନ୍ତି। ଏହି କମ୍ପାନୀ ଅନ୍‌ଲାଇନ ଜରିଆରେ ଲୋକଙ୍କୁ ସେବା ଯୋଗାଉଛି। କନ୍‌ଷ୍ଟ୍ରକସନ, ଇଣ୍ଟେରିଅର ଡିଜାଇନ୍ ଦିଗରେ କାର୍ଯ୍ୟ କରୁଛି। ଆଗକୁ ଏହି କମ୍ପାନୀ ପୋଷାକ ଏବଂ କସ୍‌ମେଟିକ୍ସ ପ୍ରସ୍ତୁତ କରି ଇ-କମର୍ସ ଜରିଆରେ ବିକ୍ରି କରିବାର ଯୋଜନା ରହିଛି।

ସୌଭାଗ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୯୯୧ ମସିହା ମାର୍ଚ୍ଚ ୫ ତାରିଖରେ ଜନ୍ମ ହୋଇଥିଲେ। ପରେ ଉତ୍ତରପ୍ରଦେଶରେ ବି.ଟେକ୍ ପଢ଼ିଥିଲେ। ଏହାପରେ ୟୁ.କେର ଡୁଣ୍ଡ୍ ବିଶ୍ୱବିଦ୍ୟାଳୟରେ ଆର୍କିଟେକଚର୍ ଇଞ୍ଜିନିୟରିଂ କରିଥିଲେ। ଏହାପରେ ବଡ଼ବଡ଼ ଘରୋଇ ମୋଟରଯାନ ସଂସ୍ଥାରେ ଇଞ୍ଜିନୟର ଭାବେ କାର୍ଯ୍ୟ କରିଥିଲେ ବି ଆତ୍ମସନ୍ତୋଷ ମିଳିନଥିଲା। ସମାଜରେ ନିଜକୁ ପ୍ରତିଷ୍ଠିତ ଏବଂ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାର ସ୍ୱପ୍ନ ସେ ଦେଖିଥିଲେ।

ଏନେଇ ୨୦୧୪ ମସିହାରେ ଅନଲାଇନ୍ ଜରିଆରେ Vincitore Group ନାମକ ଏକ ସଂସ୍ଥା ଖୋଲିଥିଲେ। ବିନା ଟଙ୍କା ନିବେଶରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ଅନେକ ସଙ୍ଘର୍ଷ ପରେ ସେ ଆଜି ଜଣେ ସଫଳ ଉଦ୍ୟୋଗପତି ପାଲଟଛନ୍ତି। ଜିରୋରୁ ହିରୋ ସାଜିବା ଭଳି କାର୍ଯ୍ୟ କରିଛନ୍ତି। ୨୦୧୪ରେ କମ୍ପାନୀର ବାର୍ଷିକ ଟର୍ଣ୍ଣ ଓଭର ୧୦ ଲକ୍ଷ ଥିବାବେଳେ ଆଜି ୧ କୋଟିରେ ପହଞ୍ଚିଛି। ଏହିସବୁ ପଛରେ ସୌଭାଗ୍ୟଙ୍କ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ହିଁ କାର୍ଯ୍ୟ କରିଛି। ତାଙ୍କ ପାଖରେ ସେତେମାତ୍ରାରେ ଟଙ୍କା ନଥିଲା। ଏମିତିକି ସେ କୌଣସି ବ୍ୟବସାୟିକ ପରିବାରର ମଧ୍ୟ ନୁହଁନ୍ତି। ତଥାପି ସେ ନିଜ ବଳରେ ଆଜିର ସମୟରେ ଏକ ବଡ଼ କମ୍ପାନୀର ମାଲିକ ହୋଇପାରିଛନ୍ତି। ଏହି ଉଦ୍ୟମ ଓ ପ୍ରଚେଷ୍ଠା ପାଇଁ ସୌଭାଗ୍ୟ ସମସ୍ତ ଉଦ୍ୟୋଗପତିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଚାକିରି ଖୋଜିବା ବଦଳରେ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଧ୍ୟାନ ଦେବାକୁ ସେ ଯୁବପୀଢ଼ୀଙ୍କୁ ପରାମର୍ଶ ଦେଇଛନ୍ତି।