ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ତଳ ଭିତିରିଆ ସାହିର ଜଣେ ୨୮ ବର୍ଷୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ତଳ ଭିତିରିଆ ସାହିର ସ୍ୱର୍ଗତ ଶିବଶଙ୍କର ନାଏକଙ୍କ ପୁଅ ବିପ୍ଲବ ରଞ୍ଜନ ନାଏକ (୨୮)ଙ୍କୁ କ୍ଷତାକ୍ତ ଅବସ୍ଥାରେ ଗତକାଲି କେତେକ ଅଜଣା ବ୍ୟକ୍ତି ତାଙ୍କ ଘର ନିକଟରେ ଛାଡି ଚାଲିଯାଇଥିଲେ। ପରିବାରଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ  ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ସନ୍ଧ୍ୟାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରୁଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାରଲୋକେ ମୃତଦେହକୁ ଦେବଗଡ଼ ଡାକ୍ତରଖାନକୁ ଫେରାଇ ଆଣିଥିଲେ। ଡାକ୍ତରଖାନା  ସୂଚନା ପାଇ ଦେବଗଡ ଥାନା ପୁଲିସ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଜି ଶବ ବ୍ୟବେଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି।