ବିଦ୍ୟୁତ ଖୁଣ୍ଟରୁ ପଡ଼ି ଯୁବକ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଖୋଲାମୁହଁ କୋଇଲା ମଝିରେ ବିଦ୍ୟୁତ ମରାମତି କରୁଥିବାବେଳେ ବିଦ୍ୟୁତ ଖୁଣ୍ଟରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ସୁଲଦିଆ ଗ୍ରାମର ପଞ୍ଚାନନ ସା (୩୦)। ଖବରପାଇ ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସୂଚନା ଅନୁଯାୟୀ, ପଞ୍ଚାନନ ବିକଶା ଏଣ୍ଟର ପ୍ରାଇସେସ୍ ବ୍ରଜରାଜନଗର ଅଧୀନରେ ଏହି ବଦ୍ୟୁତ୍ ମରାମତି କାମ କରୁଥିଲେ।

ସେ ଆଜି ଏକ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିଥିବାବେଳେ ଖୁଣ୍ଟ ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା। ଅନ୍ୟ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେମାନଙ୍କ ସହଯୋଗରେ ପଞ୍ଚାନନଙ୍କୁ ଟିଆରଏଲ ହସ୍ପିଟାଲକୁ ନେଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟଲୋକେ କ୍ଷତିପୂରଣ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଦାବି କରିଥିଲେ। ଏହାପରେ ଠିକା ସଂସ୍ଥା ପକ୍ଷରୁ ୧୩ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଓ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିବା ନେଇ ଶ୍ରୁତିି ପ୍ରଦାନ କରାଯାଇଛି।