ପ୍ରେମ ହେଲା ମହଙ୍ଗା :ପ୍ରେମିକର ଆଖି ନଷ୍ଟ କଲା ପ୍ରେମିକାର ଦାଦା

ମାଲକାନଗିରି,ଏନ୍ଏନ୍ଏସ୍: ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଏଥିପାଇଁ ସାରା ଜୀବନ ଏକାଠି ରହିବାକୁ ସ୍ୱପ୍ନ ଦେଖିଥିଲେ ପ୍ରେମୀଯୁଗଳ। ପରେ ଉଭୟ ଘର ପରିବାରଠାରୁ ଅଲଗା ହୋଇ ଚାଲିଯାଇଥିଲେ ଆନ୍ଧ୍ର ପ୍ରଦେଶକୁ। ତେବେ ପ୍ରେମିକାର ପରିବାର ପକ୍ଷରୁ ଗ୍ରହଣ କରିବା ସହ ବିବାହ କରାଇଦେବାକୁ ପ୍ରତିଶ୍ରୃତି ମିଳିବା ପରେ ଉଭୟ ଘରକୁ ଫେରିବା ବେଳେ ପ୍ରେମିକାର ଦାଦା ଓ ଅନ୍ୟମାନେ ପ୍ରେମିକକୁ ନିସ୍ତୁକ ମାଡ ମାରିଥିବା ସହ ଆଖି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି, ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଉଣ୍ଣୁରୁକୋଣ୍ଡା ପଞ୍ଚାୟତର ଉଂଚିମେଟଲା ଗ୍ରାମରେ।

ପଡ଼ିଆ ବ୍ଲକର ମାଟେରୁ ପଂଚାୟତ ଅନ୍ତର୍ଗତ ପର୍ସନପାଲ୍ଲୀ ଗ୍ରାମର ସାନା ମାଡ଼କାମିଙ୍କ ପୁତ୍ର ଭୀମା ମାଡ଼କାମି ଦୀର୍ଘ ଦିନ ଧରି ଉଂଚିମେଟଲାର ଗ୍ରାମର ଜଣେ କନ୍ୟାଙ୍କୁ ଭଲ ପାଉଥିଲେ। ଉଭୟଙ୍କ ଭଲ ପାଇବାକୁ ପରିବାର ଲୋକେ ଗ୍ରହଣ କରିବା ନେଇ ଉଭୟ ବାହାରକୁ ଚାଲିଯିବାକୁ ନିଷ୍ପତି ନେଇ ଗତ ଏକ ମାସ ପୂର୍ବରୁ ଆନ୍ଧ୍ର ପ୍ରଦେଶ ଚାଲିଯାଇଥିଲେ। ଉଭୟ ସେଠାରେ କୁଲି କରି ଜୀବନ ନିର୍ବାହ କରୁଥିବା ବେଳେ ପ୍ରେମିକାଙ୍କ ପରିବାରବର୍ଗ ଉଭୟଙ୍କୁ ବିବାହ କରାଇଦେବାକୁ ପ୍ରତିଶ୍ରୃତି ଦେଇଥିଲେ।

ପରେ ଭୀମା ତାଙ୍କ ପ୍ରେମିକାଙ୍କୁ ନେଇ ତାଙ୍କ ନିଜ ଘରେ ଛାଡ଼ି ଦେଇଥିଲେ। କିନ୍ତୁ ଗତ ଗୁରୁବାର ଦିନ ପ୍ରେମିକା ଭୀମାଙ୍କୁ ବାହାଘର ନେଇ ପରିବାର ଲୋକେ ସ୍ଥିରକରିବାକୁ ଚାହୁଁଥିବା କହି ଡକାଇଥିଲେ। ଭୀମା ଉଣ୍ଡୁରୁକୋଣ୍ଡା ହାଟ ଦେଇ ଆସୁଥିବା ବେଳେ ଇଂଚିମେଟଲା ଗ୍ରାମ ନିକଟରେ ପ୍ରେମିକାର ଦାଦା ଓ କିଛି ବ୍ୟକ୍ତି ଭୀମାଙ୍କୁ ନିସ୍ତୁକ ମାଡ ମାରିବା ସହ ଲାଠି ସାହାଯ୍ୟରେ ଆଖି ନଷ୍ଟ କରି ଦେବା ଫଳରେ ସେ ବେହୋସ ହୋଇଯାଇଥିଲେ।

ପରେ ସେଠାରେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ସକାଳେ ଭୀମାର ଚେତା ଫେରିବା ପରେ ଘୋଷାରି ଘୋଷାରି ହୋଇ ମୁଖ୍ୟରାସ୍ତାକୁ ଆସିଥିଲେ। ସେଠାରେ କିଛି ବ୍ୟକ୍ତି ଦେଖି ତାଙ୍କୁ ଉଦ୍ଧାର କରି ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ। ପରେ ଗତକାଲି ସଂଦ୍ଧ୍ୟାରେ ଭୀମା ତାଙ୍କ ସମ୍ପର୍କିୟଙ୍କ ସହ କାଲିମେଳା ଥାନାରେ ଏକ ଏତଲା ଦେଇଛନ୍ତି। ଏତଲାକୁ ଭିତି କରି କାଲିମେଳା ଥାନାରେ କେସ ନମ୍ବର ୧୭୮ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରିଛି।