ବାରିପଦା,ଏନ୍ଏନ୍ଏସ୍: ଟିକଟକ୍ ଭିଡ଼ିଓରୁ ଏକ ତରଫାପ୍ରେମ ଓ ପରବର୍ତ୍ତୀ ସମୟରେ ନାବାଳିକାଙ୍କ ଠାରୁ ନଗ୍ନ ଫଟୋ ହାତେଇ ବିବାହ ନିମନ୍ତେ ବ୍ଲାକ ମେଲିଂ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ସମ୍ପୃକ୍ତ ଯୁବକଙ୍କ ନାମ ସିଦ୍ଧାର୍ଥ ବେହେରା ବୋଲି ଜଣାପଡ଼ିଛି। ନାବାଳିକା ତାଙ୍କୁ ବିବାହ ନକଲେ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନାବାଳିକାଙ୍କ ପିତା ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଆଜି ଗିରଫ କରିଛି। ସୂଚନା ଯୋଗ୍ୟ ଯେ, ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକା ଟିକ୍ ଟିକ୍ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଉକ୍ତ ପୋଷ୍ଟକୁ କଟକ ଜିଲ୍ଲାର ସିଦ୍ଧାର୍ଥ କୁମାର ବେହେରା ଲାଇକ କରିବା ସହ ମୋବାଇଲ ନମ୍ବର ମାଗିଥିଲା। ନାବାଳିକା ମୋବାଇଲ ନମ୍ବର ଦେବାକୁ ମନା କରିବାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ହ୍ୱାଟ୍ସଆପ ନମ୍ବର ହାତେଇ ବିବାହ ପ୍ରସ୍ତାବ ଦେଇଥିଲା। ଏଥିରେ ନାବାଳିକା ଜଣକ ରାଜି ନହେବାରୁ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେବାସହ ଅଶ୍ଳୀଳ ଫଟୋ ମାଗିଥିଲା। ନାବାଳିକା ଜଣକ ଏଥିରେ ଡରିଯାଇ ଅନ୍ତରଙ୍ଗ ଫଟୋ ପଠାଇଥିଲେ। ବାରମ୍ବାର ଏପରି ହେବାରୁ ବାଧ୍ୟ ହୋଇ ପରିବାରକୁ ଜଣାଇଥିଲା ନାବାଳିକା। ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ସମ୍ପୃକ୍ତ ଯୁବକକୁ ଗିରଫ କରିଛି।