ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ସଦର ମହକୁମାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ସାନ ଭାଇ ନିଜ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଭଳି ବିଭତ୍ସ ଘଟଣା ଦେଖିବାକୁ ମିଳିଛି। ଏହି ମାମଲାରେ କୋମନା ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନାନୁଯାୟୀ, ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ସଦର ମହକୁମାରେ ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ ଘଟିଛି। ଗତକାଲି କୌଣସି କାରଣରୁ ବଡ଼ଭାଇ ଶିବ ହରପାଲ ଏବଂ ସାନଭାଇ ବିଦ୍ୟା ହରପାଲ ମଧ୍ୟରେ ଝଗଡ଼ା ହୋଇଥିଲା। ଏପରିକି ଦୁହେଁ ରାସ୍ତା ଉପରେ ମରାମରି ହୋଇଥିଲେ।

ସାନ ଭାଇ ବିଦ୍ୟା ଉତକ୍ଷିପ୍ତ ହୋଇ ପାଖରେ ପଡ଼ିଥିବା ଏକ ଟାଙ୍ଗିଆରେ ବଡ଼ଭାଇ ଶିବ ଉପରକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଶିବ ହରପାଲର ପ୍ରାଣହାନି ଘଟିଛି। ଆଜି ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏହା ସହ ପୋଲିସ ମୁଖ୍ୟ ଅଭିଯୁକ୍ତ ବିଦ୍ୟା ହରପାଲକୁ ଅଟକ ରଖି ତଦନ୍ତ କରୁଛି।