ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ତାଲପଟିଆ ଫାଣ୍ଡି ଅନ୍ତର୍ଗତ ଦୁର୍ଲଗା ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥ-୧୦ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଯୁବକ ଜଣକ ଦୁର୍ଲଗା ଗ୍ରାମର ଇନ୍ଦ୍ରମଣି ସାହୁ(୪୨) ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, କୌଣସି ଏକ କାରଣକୁ ନେଇ ଇନ୍ଦ୍ରମଣି ଓ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ କଳହ ହୋଇଥିଲା। ପରିବାର ଲୋକେ ତାଲପଟିଆ ଫାଣ୍ଡିରେ ଅଭିଯୋଗ କରିବା ସହ ଶୁକ୍ରବାର ରାତିରେ ଇନ୍ଦ୍ରମଣି ଓ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଫାଣ୍ଡିରେ ଆପୋସ ବୁଝାମଣା ହୋଇଥିଲା। ପରେ ସମସ୍ତେ ଘରକୁ ଫେରିଥିଲେ। ହେଲେ ଘରେ ପହଂଚି ଇନ୍ଦ୍ରମଣି ପୁଣି ଝଗଡ଼ା କରି କୁଆଡ଼େ ପଳାଇ ଯାଇଥିଲେ। ତେବେ ଆଜି ସକାଳେ ରାସ୍ତାକଡ଼ରେ ତାଙ୍କର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଏବଂ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ଇନ୍ଦ୍ରମଣିଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଇନ୍ଦ୍ରମଣିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।