ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ: ରୋଗୀ ନେବାକୁ ମନା କଲା ଆମ୍ବୁଲାନ୍ସ, ବାଇକରେ ଗଲେ ଡାକ୍ତରାଖାନା

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ୍ ଅନ୍ତର୍ଗତ ଜଳଦା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ଯୁବକଙ୍କର ଗତକାଲି ବିଳମ୍ବିତ ରାତିରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଖଇରା ବ୍ଲକ୍ ଅନ୍ତର୍ଗତ ଜଳଦା ଗାଁର ଗୋବିନ୍ଦ ମଲ୍ଲିକଙ୍କ ପୁଅ ବିପିନ ବିହାରୀ ମଲ୍ଲିକ(୪୫) ମୁମ୍ବାଇରେ କାମ କରୁଥିଲେ। ତାଲାବନ୍ଦ ଯୋଗୁଁ ଗତ ୨୭ ତାରିଖରେ ସେ ମୁମ୍ବାଇରୁ ଫେରି ୨୯ ତାରିଖରୁ ଜଳଦା ନୋଡାଲ ସ୍କୁଲରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ।

ଗତକାଲି ବିପିନ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିବା ଲାଗି ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା। ହେଲେ ଆମ୍ବୁଲାନ୍ସ ସେଠାକୁ ଆସି ନ ଥିଲା। ଏହାପରେ ବାଧ୍ୟ ହୋଇ ବାଇକ ଯୋଗେ ସଂପୃକ୍ତ ଯୁବକଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ବିପିନଙ୍କୁ ଦୁଇଟି ଇଞ୍ଜେକସନ୍ ଦେଇଥିଲେ। ଏହାପରେ ବିପିନ ବିହାରୀ ମଲ୍ଲିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।