ହାଇୱା ଧକ୍କାରେ ଯୁବକ ମୃତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ରାଇରଙ୍ଗପୁର-ଯଶିପୁର ରାସ୍ତାରେ ହାଇୱା ଧକ୍କାରେ ଜଣକର ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଭାଲୁପାହାଡି ଗ୍ରାମର ସୁରତସେନ ମହାନ୍ତ(୫୦)। ହାଇୱା ଧକ୍କା ଦେଇ ତାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟଲୋକ ହାଟବାଆଦଡା ଫାଣ୍ଡିକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ବରୁଣ ଗିରି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ । ସେଠାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।