ଟେଣ୍ଡର ଫିକ୍ସିଂ, ଠିକାଦାର ଟେଣ୍ଡର ପକାଇବାରୁ ଡିଡି ଚିରି ଥାନାରେ ଅଟକ ଯୁବ ନେତା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କାର୍ଯ୍ୟାଳୟରେ ସୋମବାର ଅପରାହ୍ଣରେ। ବ୍ଲକର ଟେଣ୍ଡର ପାଇଁ ଡିଡି ପକାଇଥିବା ଜଣେ ଠିକାଦାରଙ୍କ ଡିଡିକୁ ଚିରି ଅଫିସରେ ହଙ୍ଗାମା କରିବା ଜିଲ୍ଲା ବିଜେଡି ଯୁବ ଉପସଭାପତି କରୁଣା ସାଗର ଖଟୁଆଙ୍କୁ ମହଙ୍ଗା ପଡିଛି। ସୂଚନା ଅନୁସାରେ ସାହାରପଡା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ବାହାରି ଥିଲା। କାର୍ଯ୍ୟକୁ ନିଜେ ନିଜେ କରିବା ପାଇଁ ସଲାସୁତୁରା କରି ଟେଣ୍ଡେର ଫିକ୍ସିଂ ହୋଇଥିଲା। ଏହି ଘଟଣା ଜାଣିବା ପରେ ଅନ୍ୟ ଜଣେ ଠିକାଦାର ଟେଣ୍ଡର ପକାଇବା ପାଇଁ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ନିକଟରେ ଡିଡି ଦାଖଲ କରିଥିଲେ। ଏହି ସମୟରେ କରୁଣା ସାଗର ଖାଟୁଆ ଓରଫ (ଦିପୁ ) କିରାଣୀଙ୍କ ଟେବୁଲ ଉପରୁ ଆଣି ଟେଣ୍ଡର ଧାରୀଙ୍କ ୧୧ ଟି ଡିଡିକୁ ଚିରି ପକାଇ ହଙ୍ଗାମା କରିଥିଲେ। ଏନେଇ ବ୍ଲକର କିରାଣୀ ହାଡ଼ିବନ୍ଧୁ ପାତ୍ର ପାଟଣା ଥାନାରେ ଅଭିଯୋଗ କରିଥିଲେ। ମୁଖ୍ୟ କିରାଣୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସାହାରପଡା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ ପାଟଣା ଥାନାରେ ଅଭିଯୋଗ କରିଛନ୍ତି।

ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରଶାଦ ଆଇଚ କରୁଣା ସାଗରଙ୍କୁ ଆଣି ପାଟଣା ଥାନାରେ ଅଟକ ରଖିଥିବା ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ଖଟୁଆ ବିଜେଡିର ଛାମୁଆ ନେତା ହୋଇଥିବାରୁ ଏନେଇ କେନ୍ଦୁଝର ଜିଲ୍ଲା ତଥା ପାଟଣା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଓ ନାନା କଳ୍ପନା ଜଳ୍ପନା ଲାଗିରହିଛି। ପୂର୍ବରୁ କରୁଣା ସାଗାରଙ୍କ ନାଁରେ ସରକାରୀ କାର୍ଯ୍ୟରେ ବାଧା ଉପୁଯାଇବା ଭଳି ଅନେକ ମାମଲା ରହିଛି।

ସୂଚନା ଅନୁଯାୟୀ ସାହାରପଡା ବ୍ଲକକୁ ଆସିଥିବା ୪୭ଟି ସ୍କୁଲ ଘର ପାଇଁ ୧୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଟେଣ୍ଡରର ଆଜି ଶେଷ ଦିନ ଥିଲା।