୫ଲକ୍ଷ ୫୦ ହଜାର ୨୭୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଯୋଗୀ ସରକାର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଯୋଗୀ ସରକାର ଆଜି ବିଧାନସଭାରେ ୫ଲକ୍ଷ ୫୦ ହଜାର ୨୭୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଜେଟ ଉପସ୍ଥାନନ କରାଯାଇଛି। ଅଯୋଦ୍ଧାର ସୂର୍ଯ୍ୟକୁଣ୍ଡର ବିକାଶ ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ୧୪୦ କୋଟି ଟଙ୍କାର ବଜେଟ ପାରିତ ହୋଇଛି। ରାମ ମନ୍ଦିରରୁ ଅଯୋଦ୍ଧା ଧାମ ରୋଡ ଲାଗି ୩୦୦ କୋଟି ଏବଂ ଅଯୋଦ୍ଧାରେ ପର୍ଯ୍ୟଟନ ଲାଗି ୧୦୦ କୋଟି ଟଙ୍କା ପାରିତ ହୋଇଛି। କିନ୍ତୁ କାନପୁର ମେଟ୍ରୋ ରେଲୱେ ଲାଗି ଚଳିତ ବର୍ଷ ୫୯୭ କୋଟି ଟଙ୍କା ଦିଆଯିବ। ୫୦ କୋଟି ଟଙ୍କାର ଲଗାଣରେ ଲଖନଔରେ ରାଷ୍ଟ୍ରୀୟ ପ୍ରେରଣା ସ୍ଥଳର ନିର୍ମାଣ ପାଇଁ ବଜେଟ ବ୍ୟବସ୍ଥା ଯୋଗୀ ସରକାର କରିବେ। କୃଷକଙ୍କୁ ମାଗଣାରେ ପାଣି ସୁବିଧା ଯୋଗାଇବା ପାଇଁ ୭୦୦ କୋଟି ଟଙ୍କା ବ୍ୟୟ ହେବ। କୃଷକଙ୍କୁ ସ୍ୱଳ୍ପ ସୁଧରେ ଋଣ ଦିଆଯିବା ନେଇ ମଧ୍ୟ ଘୋଷଣା କରାଯାଇଛି।

ଅର୍ଥମନ୍ତ୍ରୀ ସୁରେଶ ଖନ୍ନା କହିଛନ୍ତି ଯେ, ‘୨୦୨୧- ୨୨ର ବଜେଟ ଯୁବା ଓ ରୋଜଗାର ଲାଗି ସମର୍ପିତ କରାଯାଇଛି। ଏଥିରେ ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମହିଳାଙ୍କୁ ସୁରକ୍ଷା ଦିଆଯିବ। ବଜେଟରେ ୟୁପିକୁ ଆତ୍ମନିର୍ଭର କରିବାର ଲକ୍ଷ୍ୟକୁ ଗୁରୁତ୍ୱ ଦିଆଯାଇଛି। ୩ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ଅପରେସନାଲ ଏୟାରପୋର୍ଟ ସଂଖ୍ୟା ୪ରୁ ବଢ଼ି ୭ ହୋଇଯାଇଛି। ଜନପଦ ଅଯୋଦ୍ଧାରେ ନିର୍ମାଣଧୀନ ଏୟାରପୋର୍ଟର ନାମ ‘ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ’ରଖାଯିବ। ଏଥିପାଇଁ ୧୦୧ କୋଟି ବଜେଟ ବ୍ୟବସ୍ଥା ପ୍ରସ୍ତାବିତ କରାଯାଇଛି।