ହାଥରସ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଶ୍ଚିତ ନ୍ୟାୟ କରିବେ: ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ହାଥରସ ଗୁଣଦୁଷ୍କର୍ମ ଘଟଣାକୁ ନେଇ ଏବ ବଡ଼ ବୟାନ ଦେଇଛନ୍ତି। ସ୍ମୃତି କହିଛନ୍ତି ଯେ, ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ମିଳିବ। ଏସଆଇଟି ଯାଞ୍ଚ ପରେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ଅଧିକାରୀଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଶ୍ଚିତରୂପେ ନ୍ୟାୟ କରିବେ। ଏଥିସହିତ ହାଥରସ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ବଦଳରେ ରାହୁଲ ରାଜନୀତି କରୁଛନ୍ତି ବୋଲି ସ୍ମୃତି କହିଛନ୍ତି ।

ସୂଚନାଯୋଗ୍ୟ, ହାଥରସ ଘଟଣାର ତଦନ୍ତ ପାଇଁ ସ୍ପେଶିଆଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ଗଠନ କରାଯାଇଛି। ଏସଆଇଟିର ପ୍ରାଥମିକ ଯାଞ୍ଚ ରିପୋର୍ଟ ଅନୁସାରେ ହିଁ ହାଥରସ ଏସପି ବିକ୍ରାନ୍ତ ବୀର ସିଂ, ସିଓ ରାମ ଶବ୍ଦ, ଇନ୍ସପେକ୍ଟର ଦିନେଶ କୁମାର ବର୍ମା, ସବଇନ୍ସପେକ୍ଟର ଜଗବୀର ସିଂଙ୍କୁ ନିଲମ୍ବିତ କରାଯାଇଛି। ଏଥିସହିତ ପୀଡ଼ିତ, ଆରୋପୀ ଓ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ଅଧିକାରୀଙ୍କର ନାର୍କୋ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ଆଜି ଉତ୍ତରପ୍ରଦେଶ ଡିଜିପି ହିତେଶ ଚନ୍ଦ୍ର ଅବସ୍ଥୀ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଗାଁକୁ ଯାଇଛନ୍ତି।