ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଉପକଣ୍ଠରେ ଆଜି ସକାଳୁ ପ୍ରବଳ ବର୍ଷା ହୋଇଛି। କଳାବାଦଲ ସହିତ ବର୍ଷା ହୋଇଛି। ସକାଳ ୮ଟା ପର୍ଯ୍ୟନ୍ତ ଲୋକଙ୍କୁ ସୂର୍ଯ୍ୟ ଦେଖାଯାଇନାହିଁ। ସଡ଼କରେ ଯାନବାହନ ଚଳାଚଳ ହ୍ରାସ ପାଇଛି। ରାଜଧାନୀର ଏକାଧିକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି କହିଛି। ଏଥି ପାଇଁ ପାଣିପାଗ ବିଭାଗ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଜି ଦିନ ତମାମ ବର୍ଷା ହୋଇପାରେ।
ବର୍ଷା କାରଣରୁ ଏମ୍ସ ଫ୍ଲାଏଓଭର, ହୟାତ ହୋଟେଲ ନିକଟ ରିଂରୋଡ, ସାବିତ୍ରୀ ଫ୍ଲାଏଓଭର, ମହାରାଣୀ ବାଗ, ଧୌଳା କୁଆରୁ ୧୧ ମୂର୍ତ୍ତି ରାସ୍ତା, ଶାହାଜାନ ରୋଡ, ଆଇଟିଓର ଡବ୍ଲ୍ୟୁ ପଏଣ୍ଟ, ଲାଲା ଲାଜପତ ରାୟ ମାର୍ଗ ଏବଂ ମୂଳଚନ୍ଦ ଅଣ୍ଡରପାସ ନିକଟରେ ଜଳାର୍ଣ୍ଣବ ହୋଇଛି। ଫଳରେ ଲୋକଙ୍କୁ ଯାତାୟତରେ ଅସୁବିଧା ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ, ଏନସିଆର-ଗୁରୁଗ୍ରାମ, ମାନେସର, ଫରୀଦାବାଦ, ବଲ୍ଲଭଗଡ଼, ତୋଶାମ, ଭିୱାନୀ, ଝଜ୍ଜର, ନାରନୌଲ, ମହେନ୍ଦ୍ରଗଡ଼, କୋସଲି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।