ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି କୋହଲା ପାଗ ଲାଗି ରହିବ। ଏହାସହିତ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମଧ୍ୟ ହେବାର ଆଶଙ୍କା ରହିଛି। ତେବେ ଶନିବାର କିଛି ସ୍ଥାନରେ ପାଗରେ ବିଶେଷ ଭାବେ ପରିବର୍ତ୍ତନ ହେବା ସହିତ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହି ସମୟରେ ପ୍ରବଳ ପବନ ମଧ୍ୟ ବୋହିବ। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପରୁ, କଟକ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବ। ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ପବନର ବେଗ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ସେହିପରି ସମ୍ବଲପୁର, ପୁରୀ, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଆଦି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରକୋପ ଅଧିକ ରହିବ। ସମ୍ଭାବ୍ୟ ବର୍ଷା ପବନକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଲାଗି ରହିଥିବା ବେଳେ ସବୁଆଡ଼େ ଦିନର ତାପମତ୍ରା ହ୍ରାସ ପାଇଥିଲା। ଫଳରେ ଦିନ ବେଳା ଥଣ୍ଡା ଅନୂଭୁତ ହୋଇଛି। ଏହା ବ୍ୟତୀତ କିଛି ସ୍ଥାନରେ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଥିଲା।
ଦାରିଙ୍ଗବାଡ଼ିରେ ୧୭ ମିମି ବର୍ଷା ହୋଇଥିବା ବେଳେ ବୌଦ୍ଧରେ ୧୬.୨ ଓ ଗୋପାଳପୁରରେ ୧୦ ମିମି ବର୍ଷା ରେକର୍ଡ କରାଯାଇଛି। ଏଭଳି ପାଗ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ୧୦ ତାରିଖଠାରୁ ତାପମାତ୍ରା କମିବା ସହିତ ଘନକୁହୁଡ଼ି ଆରମ୍ଭ ହେବ।
ପାଣିପାଗ ବିଶେଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିିଛି। ବିଶେଷ କରି ଖୋର୍ଦ୍ଧା ଓ ଏହାର ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକରେ ବର୍ଷା ହେବାକୁ ଥିବା ବେଳେ ଉତ୍ତରରେ ଥିବା ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଗଞ୍ଜାମ ଜିଲ୍ଲା ଓ ଏହାର ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲକାରୁ ସ୍ୱଳ୍ପ ବର୍ଷା ହେବ। ଏହି ବର୍ଷା ପରେ ପାଗ ବଦଳିବା ସହିତ ୧୦ ତାରିଖଠାରୁ ସାରା ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ।