ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ସମେତ ଅନେକ କୁସ୍ତିଯୋଦ୍ଧା ଦିଲ୍ଲୀର ଜନ୍ତର ମନ୍ତରରୁ କେନ୍ଦ୍ରୀୟ ଖେଳ ମନ୍ତ୍ରଣାଳୟ ପହଞ୍ଚି ଯାଇଛନ୍ତି । ସେ ଭାରତୀୟ କୁସ୍ତି ମହାସଂଘକୁ ନେଇ ଚାଲିଥିବା ବିବାଦ ପରେ ନିଜ ଦାବୀ ଉପସ୍ଥାପନ କରିବେ। ଚାମ୍ପିୟାନ କୁସ୍ତିଯୋଦ୍ଧା ବବିତା ଫୋଗାଟ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ । ବବିତା କୁସ୍ତିଯୋଦ୍ଧାଙ୍କ ଦାବୀ ସରକାରଙ୍କ ସମ୍ମୁଖରେ ରଖିବେ । ଏହି ପ୍ରସଙ୍ଗକୁ ନେଇ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ନୂଆ କୁସ୍ତି ମହାସଂଘ ଦାବୀ କରିଛନ୍ତି ।
କୁସ୍ତିଯୋଦ୍ଧାଙ୍କ କହିବା ମୁତାବକ, କୁସ୍ତି ମହାସଂଘରେ ଭରପୂର ଭ୍ରଷ୍ଟ ଲୋକ ରହିଛନ୍ତି । ସେଥିପାଇଁ ଏହାକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିବାର ଆବଶ୍ୟକତା ରହିଛି ।
ରାଷ୍ଟ୍ର ମଣ୍ଡଳ ଖେଳର ପଦକ ବିଜେତା ଗୀତା ଫୋଗାଟ ଓ ତାଙ୍କ ଭଉଣୀ ବବିତା ଫୋଗାଟ ଭିନେଶ ଓ ବଜରଙ୍ଗଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି । ଅଲମ୍ପିକ କୁସ୍ତିଯୋଦ୍ଧା ବଜରଙ୍ଗ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ ଓ ଅନ୍ୟ ଶୀର୍ଷ ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ ବିରୋଧରେ ଯୌନ ଶୋଷଣର ଗମ୍ଭୀର ଆରୋପ ମଧ୍ୟ ଲଗାଇଛନ୍ତି ।