ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ ଓ ସାକ୍ଷୀ ମଲ୍ଲିକଙ୍କ ସମେତ ଅନେକ ଶୀର୍ଷ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧା ଗଙ୍ଗାରେ ନିଜ ମେଡାଲ ଭସାଇବାକୁ ଯାଉଛନ୍ତି । ସମସ୍ତ କୁସ୍ତିଯୋଦ୍ଧା ହରିଦ୍ୱାର ଅଭିମୁଖେ ବାହାରିଛନ୍ତି । ଏହି ଅବସରରେ ଭିନେଶ କହିଛନ୍ତି ଯେ, ମେଡାଲ ଭସାଇବା ପରେ ଆମ ଜୀବନର ଆଉ କୌଣସି ମୂଲ୍ୟ ରହିବ ନାହିଁ । ସେଥିପାଇଁ ଆମେ ଇଣ୍ଡିଆଗେଟରେ ଆମରଣ ଅନସନରେ ବସିବୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଉଦଘାଟନ କରିବା ଦିନ ହିଁ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧା ନୂଆ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତର ଆହ୍ୱାନ ଦେଇଥିଲେ । କୁସ୍ତିଯୋଦ୍ଧା ଜନ୍ତର ମନ୍ତରରୁ ବ୍ୟାରିକେଡ ଭାଙ୍ଗି ନୂଆ ସଂସଦ ଭବନ ଆଡ଼କୁ ବଢ଼ିବାକୁ ପ୍ରୟାସ କରିଥିଲେ । ଫଳରେ କୁସ୍ତିଯୋଦ୍ଧା ଓ ପୁଲିସ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା । ପରେ କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀର ଭିନ୍ନ ଭିନ୍ନ ପୁଲିସ ଷ୍ଟେସନକୁ ନିଆଯାଇଥିଲା ।
ସୂଚନାଯୋଗ୍ୟ, ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବୀରେ ଏପ୍ରିଲ ୨୩ରେ କୁସ୍ତିଯୋଦ୍ଧା ଆନ୍ଦୋଳନ ଆରମ୍ଭ କରିଥିଲେ। ବ୍ରିଜଭୂଷଣ ଉପରେ ଜଣେ ନାବାଳିକାଙ୍କ ସମେତ ଅନେକ ମହିଳା କୁସ୍ତିଯୋଦ୍ଧାଙ୍କ କଥିତ ଯୌନ ଶୋଷଣର ଆରୋପ ଲାଗିଛି ।