କାର୍ତ୍ତିକରେ ତୁଳସୀ ପୂଜା କଲେ ରୋଗ ଓ ଦୁଃଖ ଦୂର ହୁଏ

କାର୍ତ୍ତିକ ମାସରେ ଭଗବାନ ଶ୍ରୀହରିଙ୍କୁ ବିଧିବିଧାନ ମୁତାବକ ପୂଜା କରାଯାଇଥାଏ। ଏହି ମାସର ମହତ୍ତ୍ୱ ପଦ୍ମପୁରାଣ ଏବଂ ସ୍କନ୍ଦ ପୁରାଣରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛ। ବିଶ୍ୱାସ ଅନୁଯାୟୀ ଏହି ମାସରେ ବ୍ରତ ଏବଂ ତପ କରୁଥିବା ସାଧକ ବିଶେଷ ଲାଭ ପାଇଥାଏ। କାର୍ତ୍ତିକ ମାସ ବିଷ୍ଣୁଙ୍କ ପୂଜା ପାଇଁ ଉତ୍ତମ। ଏହି ମାସରେ ମହିଳାମାନେ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିଥାନ୍ତି। ସକାଳ ସ୍ନାନ କରି ବିଷ୍ଣୁଙ୍କ ରାଧାଦାମୋଦର ସ୍ୱରୂପର ପୂଜା କରିଥାନ୍ତି। ଅନ୍ୟ ମାସ ଅପେକ୍ଷା କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ମହତ୍ୱ ରହିଛି।

ମାନ୍ୟତା ଅନୁଯାୟୀ ତୁଳସୀ ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ। ତୁଳସୀ ପୂଜା ଜରିଆରେ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇପାରିବ। ଶାସ୍ତ୍ରରେ ଏ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି ଯେ ତୁଳସୀଙ୍କ କଥା ଭଗବାନ ବିଷ୍ଣୁ କେବେ ଟାଳି ନଥାନ୍ତି। ଏପରି ସ୍ଥିତିରେ ବିଧିପୂର୍ବକ ତୁଳସୀଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ, ରୋଗ ଆଦି ଦୂର ହୁଏ। ଏହି ମାସରେ ପଡ଼ୁଥିବା ଅନେକ ପର୍ବପର୍ବାଣୀ ମଧ୍ୟରୁ ଅକ୍ଷୟ ନବମୀ ବା ଅଁଳା ନବମୀ ଅନ୍ୟତମ। ଅକ୍ଷୟ ନବମୀ ଦିନ ସକାଳୁ ଅଁଳା ବୃକ୍ଷ ଆଗରେ ଭଗବାନ ବିଷ୍ଣୁଙ୍କ ପୂଜା କରାଯିବାର ବିଧି ରହିଛି। ଏହାପରେ ସେହିଠାରେ ଦାନ ଆଦି କରିବା ପରେ ପ୍ରସାଦ ରୂପରେ ବିଧିବଦ୍ଧ ଭୋଜନ ମଧ୍ୟ ଗ୍ରହଣ କରିବାର ପରମ୍ପରା ରହିଛି। ମାସର ଶେଷ ୫ ଦିନ ମଧ୍ୟ ବ୍ରତ ରଖାଯାଇଥାଏ। ଏହାକୁ କାର୍ତ୍ତିକ ପଞ୍ଚକ କୁହାଯାଏ।