୧୦୦ଟି ରୁଟ୍‌ରେ ଚାଲିବ ବିଶ୍ୱସ୍ତରୀୟ ଟ୍ରେନ୍

ନୂଆଦିଲ୍ଲୀ,ଏଜେନ୍ସି: ରେଳ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ରେଳ ପ୍ରକଳ୍ପଗୁଡ଼ିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଭାରତର ବିଭିନ୍ନ ରୁଟ୍‌ରେ ବିଶ୍ୱସ୍ତରୀୟ ଟ୍ରେନ୍ ଚଳାଚଳ ସମେତ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସେବା ଯୋଗାଇ ଦେବା ନିମନ୍ତେ ରେଳ ମନ୍ତ୍ରୀ ପୀୟୂଷଗୋଏଲ୍‌ ଉଦ୍ୟମ ଆରମ୍ଭ କରିଥିବା ବେଳେ ଘରୋଇ ଅପରେଟରମାନଙ୍କୁ ବିଭିନ୍ନ ରୁଟ୍‌ରେ ରେଳ ଚଳାଚଳ ପାଇଁ ଅନୁମତି ଦେବାକୁ ଚିନ୍ତା କରାଯାଉଛି। ଏହିକ୍ରମରେ ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତଙ୍କ ନେତୃତ୍ୱରେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯିବା ସହ ଏହି ପ୍ରକଳ୍ପ ସହ ଜଡ଼ିତ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଏହି ପ୍ରକଳ୍ପ ପାଇଁ ମୋଟ ୨୨,୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ଏହା କାର୍ଯ୍ୟକାରୀ ହେଲେ ଉଭୟ ରେଳ ବିଭାଗ ଏବଂ ଯାତ୍ରୀମାନଙ୍କୁ ଅନେକ ସୁଫଳ ମିଳିବ ବୋଲି କୁହାଯାଇଛି। ଏହି ବ୍ୟବସ୍ଥା ଅନୁସାରେ ରେଳ ବିଭାଗ ପକ୍ଷରୁ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଘରୋଇ ଅପରେଟରମାନଙ୍କୁ ଟ୍ରାକ୍ ଏବଂ ସିଗ୍ନାଲ ଭିତ୍ତିଭୂମି ଯୋଗାଇ ଦିଆଯାଇ ସେମାନଙ୍କ ଠାରୁ ପାଉଣା ନିଆଯିବ। ଅନ୍ୟପକ୍ଷରେ ଘରୋଇ ଅପରେଟରମାନେ ବଜାର ସ୍ଥିତି ଅନୁଯାୟୀ ଯାତ୍ରୀ ଭଡ଼ା ନିର୍ଦ୍ଧାରଣ କରିବେ।

ଦେଶର ପ୍ରାୟ ୧୦୦ଟି ରୁଟ୍‌ରେ ଘରୋଇ ଅପରେଟରମାନଙ୍କ ଦ୍ୱାରା ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏଥିପାଇଁ ରୁଟମ୍ୟାପ୍ ମଧ୍ୟ ପ୍ରସ୍ତୁତ କରାଯାଇସାରିଛି। ପ୍ରକାଶଯୋଗ୍ୟ ଯେ, ରେଳ ବିଭାଗର ସହଯୋଗୀ ସଂସ୍ଥା ଆଇଆରସିଟିସି ଦ୍ୱାରା ଦେଶର ପ୍ରଥମ ଘରୋଇ ଟ୍ରେନ୍ ଭାବେ ତେଜସ୍ ଏକ୍ସପ୍ରେସ୍‌ ନୂଆଦିଲ୍ଲୀରୁ ଲକ୍ଷେ୍ନø ପର୍ଯ୍ୟନ୍ତ ଚଳାଚଳ ଆରମ୍ଭ କରିସାରିଥିବା ବେଳେ ଖୁବ୍‌ ଶୀଘ୍ର ଅନ୍ୟ କେତେକ ରୁଟ୍‌ରେ ଏଭଳି ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ଟ୍ରେନ୍ ଚଳାଚଳର ମାସିକ ଆୟ ବ୍ୟୟର ହିସାବ କରାଯାଇଥିଲା ଏବଂ ଏଥିରେ ଆୟ ବୃଦ୍ଧି ସହ ପ୍ରାୟ ୭୦ ଲକ୍ଷ ଟଙ୍କା ଲାଭ କରାଯାଇଥିବା ଜଣାପଡ଼ିଥିଲା।

ଯେଉଁଠି ରେଳ ବିଭାଗ ୧ଟଙ୍କା ଲାଭ କରିବା ପାଇଁ ପ୍ରାୟ ୧ଟଙ୍କା ବ୍ୟୟ କରୁଛି ସେଠାରେ ଘରୋଇ ଅପରେଟରମାନଙ୍କ ଦ୍ୱାରା ଟ୍ରେନ୍ ଚଳାଚଳକୁ ଗୁରୁତ୍ୱ ଦେବା ନେଇ ରେଳ ବିଭାଗ ଚିନ୍ତା କରୁଥିବା କୁହାଯାଉଛି। ଦିଲ୍ଲୀ- ମୁମ୍ବାଇ ଏବଂ ଦିଲ୍ଲୀ- କୋଲକାତା ରୁଟ୍‌ର ବିଭିନ୍ନ ଦିଗରେ ଘଣ୍ଟାକୁ ୧୬୦ କିମି ବେଗରେ ଗତି କରିପାରୁଥିବା  ଟ୍ରେନ୍ ଚଳାଚଳ ପାଇଁ ଟ୍ରାକ୍ ପ୍ରସ୍ତୁତି ଏବଂ ଉନ୍ନତିକରଣ ନେଇ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ସବୁଜ ସଂକେତ ଦିଆଯାଇସାରିଛି। ଏହିକ୍ରମରେ ନିତି ଆୟୋଗ ପକ୍ଷରୁ ଦେଶର ୧୦୦ଟି ଟ୍ରେନ୍ ରୁଟ୍‌କୁ ନେଇ ୧୨ଟି କ୍ଲଷ୍ଟର ପ୍ରସ୍ତୁତ କରାଯାଇଥିବା ବେଳେଏଗୁଡ଼ିକରେ ବିଶ୍ୱସ୍ତରୀୟ ଟ୍ରେନ୍ ଚଳାଚଳ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।