ବହି ପଢ଼ି ବିଶ୍ୱ ରେକର୍ଡ

ଦୁନିଆରେ ଏପରି ଅନେକ କମ୍ ବୟସର ପ୍ରତିଭା ଅଛନ୍ତି ଯେଉଁମାନଙ୍କ ବିଷୟରେ ଜାଣିବା ମାତ୍ରେ ଆଶ୍ଚର୍ଯ୍ୟ ଲାଗେ। ଅନେକ ଛୋଟ ପିଲା କମ୍ ବୟସରୁ ନାଚ, ଗୀତ, ଖେଳକୁଦ, ପାଠପଢ଼ା ବା ଅନ୍ୟ ଆକ୍ଟିଭିଟିରେ ପାରଙ୍ଗମ ହୋଇଯାଆନ୍ତି। ସେହି ପ୍ରତିଭାମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ପାଞ୍ଚ ବର୍ଷର କିୟାରା କୌର ଯାହାଙ୍କ ନାମରେ ଦୁଇଟି ବିଶ୍ୱ ରେକର୍ଡ ରହିଛି। ଭାରତୀୟ କିୟାରା ଏବେ ୟୁଏଇରେ ରହୁଛନ୍ତି। ୧୦୫ ମିନିଟ୍‌ରେ ଲଗାତର ୩୬ ଟି ବହି ପଢ଼ି ସେ ପାରନ୍ତି। ତାଙ୍କ ନାମ ଲଣ୍ଡନର ୱର୍ଲଡ ବୁକ୍ ଅଫ୍ ରେକର୍ଡସ୍ ଓ ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସାମିଲ ହୋଇଛି। ଲଣ୍ଡନ ବୁକ୍ ଅଫ୍ ୱର୍ଲଡ ରେକର୍ଡସ୍ କିୟାରା କୌରକୁ ୱଣ୍ଡର ଚାଇଲ୍‌ଡ ନାମ ଦେଇଛି।

ନିକଟରେ ସେ ୧୦୫ ମିନିଟ୍‌ରେ ୩୬ଟି ବହି ପଢ଼ି ରେକର୍ଡ କରିଥିଲେ। ସେତେବେଳେ ତାଙ୍କ ବୟସ ମାତ୍ର ୪ ବର୍ଷ ଥିଲା। ପ୍ରାରମ୍ଭରୁ କିୟାରାଙ୍କ ବହି ପଢ଼ିବା ପ୍ରତି ଅଧିକ ରୁଚି ଥିଲା। ଆବୁଧାବିରେ ନର୍ସରୀ କ୍ଲାସ୍‌ରେ ପଢ଼ିବା ସମୟରେ ଜଣେ ଶିକ୍ଷକ ତାଙ୍କର ଏହି ପ୍ରତିଭାକୁ ଚିହ୍ନିଥିଲେ। ବିଗତ ଏକ ବର୍ଷ ମଧ୍ୟରେ ସେ ୨୦୦ଟି ବହି ପଢ଼ି ସାରିଲେଣି। କିୟାରାଙ୍କ ମାତା-ପିତା ଚେନ୍ନାଇର ବାସିନ୍ଦା। କିନ୍ତୁ କିୟାରାଙ୍କ ଜନ୍ମ ଆମେରିକାରେ ହୋଇଥିଲା। ଭବିଷ୍ୟତରେ କିୟାରା ଡାକ୍ତର ହେବାକୁ ସେ ଚାହୁଁଛନ୍ତିି।