ଆଜିଠୁ ଖୋଲିଲା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର, ଅନଲାଇନ୍‌ ଟିକେଟ କରି ପଶିଲେ ପର୍ଯ୍ୟଟକ

କୋଣାର୍କ,ଏନ୍ଏନ୍ଏସ୍: କରୋନାର ଦ୍ଵିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର। ସ୍ୱତନ୍ତ୍ର ଗାଇଡଲାଇନ୍‌ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର୍‌ କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ।

କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ, ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସାନିଟାଇଜିଙ୍ଗ, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଥିବା ବେଳେ ଦିନକୁ ଦୁଇବେଳା ଦୁଇ ହଜାର ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଛି। ସୂର୍ଯ୍ୟ ମନ୍ଦିର ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା କରାଯାଇଛି। ଏଥିସହ ମନ୍ଦିର ସମ୍ମୁଖରେ ଥିବା ବାରକୋଡକୁ ନିଜ ମୋବାଇଲରେ ସ୍କାନ କରି ଟିକେଟ କରିବା ବ୍ୟବସ୍ଥା କରାଯାଇଛି।

ଆଜି ସକାଳ ୬ଟାରେ ମନ୍ଦିର ଗେଟ ଖୋଲିବା ପରେ ପର୍ଯ୍ୟଟକମାନେ ଲାଇନରେ ଭିତରକୁ ପ୍ରବେଶ କରିଛନ୍ତି। ମନ୍ଦିରକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିବା ବେଳେ ସ୍ଥାନୀୟ ଗାଇଡ଼, ଫଟୋଗ୍ରାଫର, ହସ୍ତଶିଳ୍ପ ବ୍ୟବସାୟୀମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ମିଳିନଥିବାରୁ ସେମାନେ ନିରାଶ ହୋଇଛନ୍ତି।