ଗୋଟିଏ ଛକାରେ ବିଶ୍ୱକପ୍ ଜିତିନଥିଲା ଭାରତ: ଗମ୍ଭୀର

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ବିଶ୍ୱକପ୍ ବିଜୟକୁ ୧୦ ବର୍ଷ ପୂରିଥିବା ବେଳେ ସମସ୍ତ ଖେଳାଳି ଏହାକୁ ନେଇ ସୋସିଆଲ ମିଡିଆରେ ଉକ୍ତ ମୂହୁର୍ତ୍ତକୁ ଶେୟାର କରିଛନ୍ତି। ତେବେ ବିଶ୍ୱକପ୍ ଫାଇନାଲରେ ସର୍ବାଧିକ ସ୍କୋରର ଗୌତମ ଗମ୍ଭୀର ଆଉ ଥରେ ମହେନ୍ଦ୍ର ସିଂ ଧୋନିଙ୍କୁ ଏକରକମ ତେରଛା ବାଣ ମାରିଛନ୍ତି। ଧୋନିଙ୍କ ବିଜୟସୂଚକ ଛକାକୁ ନେଇ ସବୁଠାରୁ ଅଧିକ ଆଲୋଚନା ହେଉଥିବା ବେଳେ ଗମ୍ଭୀର ଏହାକୁ ସମାଲୋଚନା କରିଛନ୍ତି। କେବଳ ଗୋଟିଏ ଛକାରେ ଭାରତ ବିଜୟୀ ହୋଇନଥିଲା। ଦଳଗତ ପ୍ରଦର୍ଶନ କାରଣରୁ ଭାରତ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲା। ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଯୁବରାଜ ସିଂଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହିତ ଜାହିର ଖାନଙ୍କ ବୋଲିଂ ଏବଂ ଦଳଗତ ବ୍ୟାଟିଂକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ ଗମ୍ଭୀର। ଫାଇନାଲ ମ୍ୟାଚରେ ଜାହିର ଖାନଙ୍କ ଲଗାତାର ମେଡେନ୍, ସାଉଥ୍ ଆଫ୍ରିକା ବିପକ୍ଷରେ ସଚିନଙ୍କ ଶତକ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଯୁବିଙ୍କ ପ୍ରଦର୍ଶନ ଟୁର୍ଣ୍ଣାମେଣ୍ଟର ହାଇଲାଇଟ୍ ରହିଥିଲା। ତେବେ ଯଦି ଛକା ଦ୍ୱାରା ବିଶ୍ୱକପ୍ ବିଜୟ ହାସଲ କରି ହେଉଥାନ୍ତା ତେବେ ୬ଟି ଛକା ମାରିଥିବା ଯୁବରାଜ ସିଂଙ୍କୁ ୬ଟି ବିଶ୍ୱକପ୍ ଟାଇଟଲ୍ ପ୍ରଦାନ କରାଯିବା ଉଚିତ୍। ଉଭୟ ୨୦୦୭ ଏବଂ ୨୦୧୧ ବିଶ୍ୱକପରେ ଯୁବରାଜ ଭାରତର ହିରୋ ରହିଥିବା ବେଳେ ଆମେ କେବଳ ଗୋଟିଏ ଛକା ସମ୍ପର୍କରେ ଆଲୋଚନା କରିବା ଠିକ୍ ନୁହେଁ ବୋଲି ଗମ୍ଭୀର କହିଛନ୍ତି।