ୱାର୍ଲ୍ଡ ବକ୍ସିଂରେ ଅମିତଙ୍କୁ ଐତିହାସିକ ରୌପ୍ୟ

ଏକଟେରିନବର୍ଗ: ଭାରତର ପ୍ରମୁଖ ବକ୍ସର୍ ଅମିତ୍ ଫାଙ୍ଗଲ୍ ଶନିବାର ଐତିହାସିକ ସଫଳତା ପାଇଛନ୍ତି। ଏଠାରେ ଚାଲିଥିବା ୱାର୍ଲ୍ଡ ଚାମ୍ପିଅନଶିପ୍ ରେ ଏହି ବକ୍ସର୍ ଜଣକ ୫୨ କିଗ୍ରା ବର୍ଗର ଫାଇନାଲ୍ ରେ ପରାସ୍ତ ହୋଇଥିଲେ ହେଁ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିବାର ଗୌରବ ଲାଭ କରିଛନ୍ତି। ଫାଇନାଲ୍ ରେ ସେ ଅଲିମ୍ପିକ୍ ଚାମ୍ପିଅନ୍ ଉଜବେକିସ୍ତାନର ଶାଖୋବିଦିନ୍ ଜୋଇରୋଭଙ୍କଠାରୁ ୦-୫ରେ ପରାସ୍ତ ହୋଇଛନ୍ତି।

ଏଥିସହ ଭାରତ ପ୍ରଥମ ଥର ପାଇଁ ୱାର୍ଲ୍ଡ ବକ୍ସିଂ ଚାମ୍ପିଅନଶିପ୍ ରେ ଏକାଧିକ ପଦକ ପାଇପାରିଛି। ପୂର୍ବରୁ ମନୀଷ କୌଶିକ୍ ୬୩ କିଗ୍ରା ବର୍ଗରେ ବ୍ରୋଞ୍ଜ୍ ପଦକ ପାଇଥିବାରୁ ଭାରତ ଚଳିତ ସଂସ୍କରଣରେ ୨ଟି ପଦକ ହାସଲ କରିଛି। ଫାଇନାଲ୍ ରେ ଅମିତଙ୍କ ମୁକାବିଲା ଆଉ ଜଣେ ଦୀର୍ଘକାୟ ପ୍ରତିଯୋଗୀଙ୍କ ସହ ହୋଇଥିଲା। ତେବେ ଏହି ମୁକାବିଲାରେ ସେ ଯଥେଷ୍ଟ ଲଢ଼େଇ କରିଥିଲେ ମଧ୍ୟ ଉପଯୁକ୍ତ ସ୍ଥାନରେ ପଞ୍ଚ୍ ମାରି ନ ପାରିବାରୁ ପ୍ରତିଦ୍ୱନ୍ଦ୍ୱୀ ଜୋଇରୋଭ୍ ବାଜିମାତ୍ କରିଥିଲେ।

ଅବଶ୍ୟ ଏସିଆନ୍ ଗେମ୍ସ ଓ ଏସିଆନ୍ ଚାମ୍ପିଅନଶିପ୍ ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ବକ୍ସର୍ ତାଙ୍କର ଶ୍ରେଷ୍ଠ ଉପଲବ୍ଧି ହାସଲ କରିଥିଲେ। ୨୦୧୭ ଏସିଆନ୍ ଚାମ୍ପିଅନଶିପ୍ ପରଠାରୁ ରୋହତକ୍ ପ୍ରତିଯୋଗୀ ଅମିତ୍ ତାଙ୍କର ସଫଳତା ଧାରା ବଜାୟ ରଖିଛନ୍ତି। ଚଳିତ ସଂସ୍କରଣରେ ଜୋଇରୋଭ୍ ଅଣସିଡେଡ୍ ରହିଥିଲେ ମଧ୍ୟ ଦ୍ୱିତୀୟ ସିଡ୍ ଅମିତଙ୍କ ପାଇଁ ବେଶ୍ କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ।

ପୂର୍ବରୁ ୱାର୍ଲ୍ଡ ଚାମ୍ପିଅନଶିପ୍ ରେ ଭାରତ ପକ୍ଷରୁ ବିଜେନ୍ଦର ସିଂହ, ବିକାଶ କ୍ରିଶନ୍, ଶିବା ଥାପ୍ପା ଓ ଗୌରବ ବିଧୁରୀ ପଦକ ହାସଲ କରିଥିବା ବେଳେ ଏବେ ଏହି ସୂଚୀରେ ମନୀଷ ଓ ସର୍ବାଗ୍ରେ ଅମିତ୍ ସ୍ଥାନ ପାଇଛନ୍ତି। ଚଳିତ ପ୍ରତିଯୋଗିତାରେ ୭୮ଟି ଦେଶ ଭାଗ ନେଇଥିଲେ ଓ ସେମାନଙ୍କ ମଧ୍ୟରୁ ଭାରତ ସମେତ ୯ଟି ଦେଶର ପ୍ରତିଯୋଗୀ ଫାଇନାଲ୍ ରେ ପ୍ରବେଶ କରିଥିଲେ। ଉଜବେକିସ୍ତାନର ସର୍ବାଧିକ ୪ ଜଣ ଫାଇନାଲ୍ ରେ ପହଞ୍ଚିଥିବାରୁ ଏହି ଦେଶର ସଫଳତମ ସାବ୍ୟସ୍ତ ହୋଇଛି।