ୱାର୍ଲ୍ଡ ବକ୍ସିଂ କ୍ୱାର୍ଟରରେ ଅମିତଙ୍କ ସମେତ ୪ ଭାରତୀୟ

ଏକଟେରିନ୍ବର୍ଗ, ଏଜେନ୍ସି: ଏସିଆନ ଗେମ୍ସ ସ୍ୱର୍ଣ୍ଣପଦକ ବିଜେତା ଭାରତୀୟ ବକ୍ସର ଅମିତ ଫାଙ୍ଗଲ ଏଠାରେ ଚାଲିଥିବା ୱାର୍ଲ୍ଡ ବକ୍ସିଂ ଚାମ୍ପିଅନଶିପରେ ତାଙ୍କର ପଦକ ଆଶା ବଜାୟ ରଖିଛନ୍ତି। ୫୨ କିଗ୍ରା ବର୍ଗ ଇଭେଣ୍ଟରେ ମଙ୍ଗଳବାର ଖେଳାଯାଇଥିବା ପ୍ରିକ୍ୱାର୍ଟର ମୁକାବିଲାରେ ଅମିତ ତୁର୍କୀର ବାତୁହାନ ସିତଫସିଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅମିତଙ୍କ ସମେତ ୪ ଜଣ ଭାରତୀୟ ଏହି ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଭାରତର ଅନ୍ୟ ଦୁଇ ଜଣ ପ୍ରତିଯୋଗୀ ମନୀଷ କୌଶିକ ଓ ସଞ୍ଜିତ କୁମାର ମଧ୍ୟ ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଦ୍ୱିତୀୟ ସିଡ ପ୍ରତିଯୋଗୀ ଅମିତ ୫-୦ରେ ସିତଫସିଙ୍କୁ ପରାସ୍ତ କରିବା ସହ ପରବର୍ତ୍ତୀ ରାଉଣ୍ଡରେ ଫିଲିପାଇନ୍ସର କାର୍ଲୋ ପାଲାମଙ୍କୁ ଭେଟିବେ। ଗତ ବର୍ଷ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଗେମ୍ସ ସେମିଫାଇନାଲରେ ଏସିଆନ ଚାମ୍ପିଅନ ଅମିତଙ୍କଠାରୁ କାର୍ଲୋ ପରାସ୍ତ ହୋଇଥିଲେ। ଏଠାରେ କାର୍ଲୋ ପ୍ରିକ୍ୱାର୍ଟର ଫାଇନାଲ ବାଉଟରେ କୋରିଆର ଜୋ ସିହଇଓଙ୍ଗଙ୍କୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ସେହିପରି ୬୩ କିଗ୍ରା ବର୍ଗରେ ମନୀଷ ମଙ୍ଗୋଲିଆର ଚତୁର୍ଥ ସିଡ ଖେଳାଳି ଚିନଜୋରିଗ ବାଟାରସୁଖଙ୍କୁ ୫-୦ରେ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଏହାଛଡ଼ା ସଞ୍ଜିତ ଦ୍ୱିତୀୟ ସିଡ ସଞ୍ଜର ତୁରସୁନୋଭଙ୍କୁ ୯୧ କିଗ୍ରା ବର୍ଗରେ ୪-୧ରେ ପରାସ୍ତ କରିଛନ୍ତି। ସେହିପରି ୫୭ କିଗ୍ରା ବର୍ଗରେ କବିନ୍ଦର ସିଂହ ବିଷ୍ଟ ୩-୨ରେ ଫିନଲାଣ୍ଡର ଅର୍ସଲାନ ଖତାଏଭଙ୍କୁ ପରାସ୍ତ କରି କ୍ୱାର୍ଟରରେ ପହଞ୍ଚିଛନ୍ତି।