କରୋନା ମୁକାବିଲା ପାଇଁ ଭାରତକୁ ବିଶ୍ୱ ବ୍ୟାଙ୍କର ୧ବିଲିଅନ ଡଲାର ଜରୁରୀକାଳୀନ ଆର୍ଥିକ ସହାୟତା

ୱାଶିଂଟନ୍,ଏଜେନ୍ସି: କରୋନା ଭୂତାଣୁର ମୁକାବିଲା କରିବା ପାଇଁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତକୁ ୧ବିଲିଅନ ଡଲାର ଜରୁରୀକାଳୀନ ଆର୍ଥିକ ସହାୟତା ଅନୁମୋଦନ କରାଯାଇଛି। ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରଥମେ ୨୫ଟି ଦେଶକୁ କରୋନା ସଂକ୍ରମଣ ମୁକାବିଲା ପାଇଁ ୧.୯ ବିଲିୟନ ଡ଼ଲାର ସହାୟତା ପାଇଁ ଅନୁମୋଦନ ମିଳିଛି। ଏଥିସହ ଫାଷ୍ଟ-ଟ୍ରାକ୍ ପ୍ରକ୍ରିୟାରେ ୪୦ରୁ ଅଧିକ ଦେଶରେ କେତେକ ଯୋଜନା ଚାଲିଥିବା ବିଶ୍ୱ ବ୍ୟାଙ୍କ ସୂଚନା ଦେଇଛି। ତେବେ ଏହି ଜରୁରୀକାଳୀନ ଆର୍ଥିକ ସହାୟତାର ବୃହତ ଅଂଶ ଭାରତକୁ ମିଳିଛି।

ବିଶ୍ୱ ବ୍ୟାଙ୍କ କହିଛି, ଭାରତକୁ ଦିଆଯାଇଥିବା ୧ ବିଲିୟନ ଡ଼ଲାର ଜରୁରୀକାଳୀନ ଅର୍ଥରେ ଉନ୍ନତ ଯାଞ୍ଚ, ଯୋଗାଯୋଗ ଅନୁସନ୍ଧାନ ଏବଂ ଲାବୋରେଟୋରୀ ପରୀକ୍ଷଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇ ପାରିବ ଏବଂ ଆବଶ୍ୟକ ଉପକରଣ କ୍ରୟ ସହ ନୂଆ ଆଇସୋଲେସନ ୱାର୍ଡ ପ୍ରତିଷ୍ଠା ହୋଇପାରିବ। ବ୍ୟାଙ୍କର ପରିଚାଳନା ମଣ୍ଡଳୀ ଏହି ଜରୁରୀକାଳୀନ ସହାୟତା ଅର୍ଥ ମଞ୍ଜୁରୀକୁ ଅନୁମୋଦନ କରିବା ପରେ କହିଛନ୍ତି ଯେ ବିକାଶଶୀଳ ଦେଶଗୁଡିକ ପାଇଁ କୋଭିଡ-୧୯ ମୁକାବିଲା ପାଇଁ ଏହା ସହାୟକ ହେବ।

ଆସନ୍ତା ୧୫ ମାସ ମଧ୍ୟରେ ବିଶ୍ୱ ବ୍ୟାଙ୍କ ୧୬୦ ବିଲିୟନ ଡ଼ଲାର ପର୍ୟ୍ୟନ୍ତ ଅନୁଦାନ ଦେବା ପାଇଁ ଯୋଜନା ରଖିଛି ଯେଉଁଥିରେ ସ୍ୱାସ୍ଥ୍ୟ ସମେତ ଅର୍ଥନୀତି ପୁନରୁଦ୍ଧାର ପ୍ରକ୍ରିୟା ସୁଦୃଢ ହୋଇପାରିବ।