ୱାର୍ଲ୍ଡ ଆଥଲେଟିକ ଚାମ୍ପିଅନଶିପ : ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଲେ ଫେଲିକ୍ସ

ଦୋହା,ଏଜେନ୍ସି: ଏଠାରେ ଚାଲିଥିବା ୱାର୍ଲ୍ଡ ଆଥଲେଟିକ ଚାମ୍ପିଅନଶିପରେ ଆମେରିକା ପ୍ରଥମଥର ଆୟୋଜିତ ହେଉଥିବା ଇଭେଣ୍ଟ ମିକ୍ସଡ ୪ ଗୁଣା ୪୦୦ ମିଟର ରିଲେ ଦୌଡରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି। ଏହି ରେସକୁ ୱିଲବର୍ଟ ଲଣ୍ଡନ, କର୍ଟନୀ ଓକୋଲୋ, ମାଇକେଲ ଚେରୀ ଓ ଫେଲିକ୍ସ ୩ ମିନିଟ ୯.୦୪ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ସାମିଲ ହୋଇଥିବା ମହିଳା ଆଥଲେଟ ଫେଲିକ୍ସ ଏହାକୁ ମିଶାଇ ୱାର୍ଲ୍ଡ ଆଥଲେଟିକ୍ସରେ ଦ୍ୱାଦଶ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଫଳରେ ସେ ଉସେନ ବୋଲ୍ଟଙ୍କ ୧୧ଟି ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡକୁ ଭାଙ୍ଗିଦେଇଛନ୍ତି। ଏହି ୩୩ ବର୍ଷୀୟା ଆଥଲେଟ କେବଳ ରେକର୍ଡ କରିନାହାନ୍ତି, ବରଂ ମା’ ହେବା ପରେ ପୁଣିଥର ଟ୍ରାକକୁ ଫେରି ୱାର୍ଲ୍ଡ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ଜିତିଛନ୍ତି। ୨୦୦୫ରେ ସେ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ। ଏଥିରେ ଜାମାଇକାକୁ ରୌପ୍ୟ ଏବଂ ବାହାରିନକୁ ବ୍ରୋଞ୍ଜ ପଦକ ମିଳିଛି। ଏହି ଇଭେଣ୍ଟରେ ଭାରତ ୭ମ ସ୍ଥାନରେ ସନ୍ତୁଷ୍ଟ ହୋଇଛି।

ସେହିପରି ଆଉ ଜଣେ ଆଥଲେଟ ଜାମାଇକାର ଶେଲୀ-ଆନ୍ନ ଫ୍ରେଜର-ପ୍ରାଇସ ମହିଳା ୧୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ବିଶ୍ୱର ପ୍ରଥମ ଆଥଲେଟ ଭାବେ ୪ଥର ୱାର୍ଲ୍ଡ ଆଥଲେଟିକ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଛନ୍ତି। ପୁଅ ଜନ୍ମ ହେବାର ବର୍ଷକ ପରେ ଫ୍ରେଜର-ପ୍ରାଇସ ଗତବର୍ଷ ଟ୍ରାକକୁ ଫେରିଥିଲେ। ସେ ଏହି ଦୂରତାକୁ ସେ ୧୦.୭୧ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିଲେ। ଗ୍ରେଟବ୍ରିଟେନର ଡିନା ଆଶର-ସ୍ମିଥ ୧୦.୮୩ ସେକେଣ୍ଡ ନେଇ ଦ୍ୱିତୀୟ ଏବଂ ଆଇଭରୀ କୋଷ୍ଟର ମ୍ୟାରୀ-ଜୋସୀ ଟା ଲୋଉ ୧୦.୯୦ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଠାରେ ୧୦୦ ମିଟରରେ ଚତୁର୍ଥ ଟାଇଟଲ ଜିତିବା ସହ ୩୨ ବର୍ଷିଆ ଫ୍ରେଜର ପ୍ରାଇସ ନିଜ ଦେଶର ବୋଲ୍ଟ, ଆମେରିକାର କାର୍ଲ ଲୁଇସ ଓ ମୌରିସ ଗ୍ରୀନଙ୍କଠାରୁ ଗୋଟିଏ ଅଧିକ ସ୍ୱର୍ଣ୍ଣ ପଦକ ଜିତି କିମ୍ବଦନ୍ତୀରେ ପରିବର୍ତ୍ତତ ହୋଇଯାଇଛନ୍ତି।

ମହିଳା ପୋଲ ଭୋଲ୍ଟରେ ରୁଷିଆର ଆଞ୍ଝେଲିକା ସିଡୋରୋଭା ୪.୯୫ ମିଟର ଉଚ୍ଚତାକୁ ଲମ୍ଫ ପ୍ରଦାନ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆମେରିକାର ସାଣ୍ଡି ମୋରିସ ୪.୯୦ ମିଟରକୁ ଡେଇଁ ରୌପ୍ୟ ଓ ଗ୍ରେଟ୍ବ୍ରିଟେନ୍ର କାଟେରିନା ଷ୍ଟିଫାନିଡି ୪.୮୫ ମିଟରକୁ ଡେଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୨୦ ମିଟର ରେସୱାକରେ ଚୀନ ସମସ୍ତ ୩ଟି ଯାକ ପଦକ ଜିତିନେଇଛି। ଏହି ଦେଶର ହୋଙ୍ଗ ଲିଉ, ସେଞ୍ଜି କିଏୟାଙ୍ଗ ଓ ଲିଉଜିଙ୍ଗ ୟାଙ୍ଗ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିବାରେ ସମର୍ଥ ହୋଇଛନ୍ତି ।

ପୁରୁଷ ଟ୍ରିପଲ ଜମ୍ପରେ ଆମେରିକାର କ୍ରିଷ୍ଟିଆନ ଟେଲର (୧୭.୯୨ ମିଟର) ଓ ୱିଲ କ୍ଲେ (୧୭.୭୪ ମିଟର) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ବୁର୍କିନା ଫାସୋର ହୁଗୁଏସ ଫ୍ୟାବ୍ରିସ ଜାଙ୍ଗୋ ୧୭.୬୬ ମିଟରକୁ ଡେଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାର ତୃତୀୟ ଦିନ ଶେଷ ସୁଦ୍ଧା ଆମେରିକା ୪ଟି ସ୍ୱର୍ଣ୍ଣ ପଦକ ଜିତି ପ୍ରଥମ, ଚୀନ ଓ ଜାମାଇକା ୨ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୬ଟି ଦେଶ ସ୍ୱର୍ଣ୍ଣ ପଦକ ଏବଂ ୧୩ଟି ଦେଶ ପଦକ ଜିତିବାରେ ସମର୍ଥ ହୋଇଛନ୍ତି।