ମହାମାରୀର ରୂପ ନେଲା ‘କୋରୋନା’: ସାରା ବିଶ୍ୱରେ ଆଲର୍ଟ

ବେଜିଂ: ଡିସେମ୍ବର ୩୧ରୁ ଅଦ୍ୟାବଧି ପ୍ରାୟ ୮୩୦ କୋରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ରୋଗୀ ମୃତ୍ୟୁବରଣ କଲେଣି। ୟୁହାନ୍ ସମେତ ୧୩ଟି ସହରର ପ୍ରାୟ ୬ କୋଟି ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି। ଲୋକମାନଙ୍କୁ ସାଧାରଣ ସ୍ଥାନରେ ସତର୍କତାର ସହ ଚଲାବୁଲା କରିବାକୁ ପରାମର୍ଶ ଦିଆଯାଇଛି। ଶନିବାର ଦିନଟି ଚୀନର ନବବର୍ଷ। ପ୍ରତିବର୍ଷ ଏହି ଦିନଟିକୁ ଚୀନବାସୀ ବେଶ୍ ଜାକଜମକରେ ପାଳନ କରୁଥିଲାବେଳେ ଚଳିତ ବର୍ଷ ସେମାନଙ୍କ ମୁହଁରୁ ହସ ମଉଳିଯାଇଛି।

ପ୍ରତ୍ୟେକ ପରିବାର ବନ୍ଧୁବାନ୍ଧବ, ସାଙ୍ଗସାଥୀ ମେଳରେ ଏହି ଦିନଟିକୁ ପାଳିଥାନ୍ତି। ବର୍ଷତମାମ ବିଦେଶରେ ରହିଲେ ମଧ୍ୟ ବସନ୍ତର ଆଦ୍ୟଭାଗରେ ପଡୁଥିବା ଏହି ଦିନଟିକୁ ଆପଣା ଲୋକଙ୍କ ଗହଣରେ କାଟିବା ପାଇଁ ଲୋକମାନେ ଛୁଟି ନେଇ ଧାଇଁ ଆସିଥାନ୍ତି। କିନ୍ତୁ ଏବର୍ଷ ସେମାନଙ୍କ ମନରେ ଉତ୍ସାହ ଉଦ୍ଦୀପନା ମରିଯାଇଛି। ସରକାରୀ ଭାବେ ନବବର୍ଷ ପାଳନକୁ ବାରଣ କରାଯାଇଛି।

ରାସ୍ତାଘାଟ ଦୋକାନବଜାର ଚାରିଆଡ଼େ ଏକ ଅଜଣା ଆତଙ୍କ ସମସ୍ତଙ୍କୁ କବଳିତ କରିରଖିଛି। କଟକଣା ଜାରି ସହରଗୁଡ଼ିକୁ ଯାତ୍ରୀବାହୀ ବସ୍, ଟ୍ରେନ୍ ଓ ବିମାନ ଉଡ଼ାଣ ବନ୍ଦ କରି ଦିଆଯାଇଛି। ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ କୋରୋନା ଭାଇରସ୍ ବ୍ୟାପୁଥିବାରୁ ଉଭୟ ସରକାର ଓ ଜନତାଙ୍କ ମନରେ ଉଦ୍ବେଗ ପ୍ରକାଶ ପାଇଛି।

ସରକାରୀ କଟକଣାର ଶିକାର ହୋଇଥିବା ସହରଗୁଡ଼ିକ ଯଥାକ୍ରମେ ଇଝୋଉ, ହୁଆଙ୍ଗଗ୍ୟାଙ୍ଗ, ଚିବି, ଜିଆଣ୍ଟାଓ, ଝିଜିଆଙ୍ଗ, କିଆନଜିଆଙ୍ଗ୍, ହୁଆଙ୍ଗଶି, ଜିଆନ୍ନିଙ୍ଗ ଓ ୟିଚାଙ୍ଗ। ବେଜିଂ ଓ ସାଙ୍ଘାଇ ସମେତ ଚୀନର ଅନ୍ୟାନ୍ୟ ସହରଗୁଡ଼ିକରେ ସତର୍କତା ଅବଲମ୍ବନ ପ୍ରତି ଗୁରୁତ୍ୱାରୋପ କରାଯାଇଛି।

  • ମୁମ୍ବାଇ ହସ୍ପିଟାଲରେ ୨ ଭାରତୀୟ ଯାତ୍ରୀ

ଚୀନସ୍ଥିତ ଭାରତୀୟ ଦୂତାବାସରେ ଜନତନ୍ତ୍ର ଦିବସ ପାଳନ କରାଯିବନି। ଚୀନ୍ କୋରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଭାରତରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚୀନ୍ରୁ ଭାରତ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ମୁମ୍ବାଇ, କୋଲକାତା, ଦିଲ୍ଲୀ ସମେତ ଦେଶର ୭ଟି ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟର୍ନ୍ୟାସନାଲ୍ ବିମାନ ବନ୍ଦରରେ ୫ ଦିନ ମଧ୍ୟରେ ୧୭୮୯ ଯାତ୍ରୀଙ୍କୁ ଥର୍ମାଲ୍ ସ୍କ୍ରିନିଂ କରାଯାଇଛି। ସେଥିମଧ୍ୟରୁ ଦୁଇଜଣ ଯାତ୍ରୀ କୋରୋନା ଭାଇରସ୍ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି।

ସମ୍ପୃକ୍ତ ୨ ଯାତ୍ରୀଙ୍କୁ ମୁମ୍ବାଇର କସ୍ତୁରବା ଗାନ୍ଧୀ ହସ୍ପିଟାଲର ସ୍ପେଶାଲ୍ ୱାର୍ଡରେ ରଖାଯାଇଛି। ଡାକ୍ତରଙ୍କ ମତରେ ସେମାନଙ୍କ ଶରୀରରେ ଅଦ୍ୟାବଧି କୋରୋନା ଭାଇରସ୍ ଲକ୍ଷଣ ଦେଖିବାକୁ ମିଳିନି। ଚୀନରେ ୩୯ ଭାରତୀୟ ଛାତ୍ର ଫସିଛନ୍ତି। ୟୁହାନରେ ଫସିଥିବା ୨୫ ଭାରତୀୟ ଛାତ୍ରଙ୍କ ମଧ୍ୟରୁ ୨୦ ଜଣ କେରଳ ବାସିନ୍ଦା।

ସେମାନଙ୍କୁ ବାଦ୍ ଦେଲେ, ଚିୟାଙ୍ଗରେ ୧୪ ଭାରତୀୟ ଛାତ୍ର ଅଛନ୍ତି। ଏହି ଛାତ୍ରମାନେ ଗୁରୁବାର ଭାରତ ଫେରିବାକୁ ମନସ୍ଥ କରିଥିଲେ। କିନ୍ତୁ ଚୀନ୍ ସରକାରଙ୍କ ଲକଡାଉନ୍ ଘୋଷଣା ଫଳରେ ଭାରତ ଯାତ୍ରା କରିପାରିଲେନି।