ରାୟଗଡା,ଏନ୍ଏନ୍ଏସ୍ : କରୋନା ଯୋଦ୍ଧା ଭାବେ ଅଭିହତ ହୋଇଥିବା ଡାକ୍ତରଙ୍କୁ ପୋଲିସ ପକ୍ଷରୁ କଡା ସୁରକ୍ଷା ପ୍ରଦାନ କରାଯିବ। ଏ ନେଇ ଡିଜିପି ଅଭୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ.ଶ୍ରବଣା ବିବେକ ଏମଙ୍କ ସଭାପତିତ୍ୱରେ ଏକ ବୈଠକ ଏସ.ପି ଅଫିସ ଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତବନ୍ଧୁ ନାୟକ, ଡ. ଦୁଃଖିଶ୍ୟାମ ଦାସ, ଡ. କେ.କେ.କୁମୁନ୍ଦନ, ୱାଇ.ଆର.ରାଓ ଏବଂ ଭାରତୀୟ ମେଡିକାଲ ସଂଗଠନ ରାୟଗଡା ଶାଖାର ଡାକ୍ତରମାନେ ଉପସ୍ଥିତ ଥିଲେ। କାର୍ଯ୍ୟରତ ଡାକ୍ତରମାନଙ୍କୁ ରାୟଗଡା ପୋଲିସ ତରଫରୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବା। ଏଥି ସହ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ମଧ୍ୟ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ପ୍ରଦାନ କରାଯିବ। କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ କିଛି ବିଶୃଙ୍ଖଳା ବ୍ୟକ୍ତିମାନେ ଡାକ୍ତରମାନଙ୍କ ଉପରେ ଆକ୍ରମଣ କରୁଥିବା ବହୁ ନଜିର ରହିଛି। ଏହାର ଯେପରି ପୁନରାବୃତି ନ ଘଟେ ସେଥି ନେଇ ପୋଲିସ ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ନେଇ ଡାକ୍ତରମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଛି। ପୋଲିସ ପ୍ରଶାସନର ଏପରି ନିଷ୍ପତିକୁ ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରମାନେ ସ୍ୱାଗତ କରିଛନ୍ତି।