୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରେକ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଲୁଥୁରବନ୍ଦ ଗାଁ’ରେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ଏ ନେଇ ଶ୍ରମିକଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁସାରେ ଲୁଥୁରବନ୍ଦ ଗାଁ’ର ବାହାଡ଼ ରଣାଙ୍କ ପୁଅ ବିଦୁର ରଣା(୨୨) ପଞ୍ଚାୟତର ଛାତ ଉପରକୁ ଚଢ଼ି ସେଠାରେ କାମ କରୁଥିଲେ। ତେବେ ସେ କାମ କରୁଥିବା ସମୟରେ ଅତି ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେଠାରେ ସେ ଅଚେତ ହୋଇ ପଡ଼ିଥିଲେ। ପରେ ସେଠାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି କେସିଙ୍ଗା ମେଡିକାଲକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତକ୍ତ୍ୟ ଲୋକେ ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ଟିଟିଲାଗଡ଼-କେସିଙ୍ଗା ରାସ୍ତାର ଲୁଥୁରବନ୍ଦ ଠାରେ ରାସ୍ତାରୋକ କରିଛନ୍ତି। ରାସ୍ତାରୋକ ଯୋଗୁଁ ସେହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।