ସ୍ୱାଭିମାନ ଅଂଚଳରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଥିବା କନିଷ୍ଠ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ଭି.ଡି.ଓ କନଫେରେନସିଙ୍ଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଗ୍ରାମ୍ୟ ନିର୍ମାଣ ବିଭାଜନ-୧ରେ କାର୍ଯ୍ୟରତ ପ୍ରଶାନ୍ତ କୁମାର ବେହେରା ନାମକ ଏହି କନିଷ୍ଟ ଯନ୍ତ୍ରୀ ସ୍ୱାଭିମାନ ଅଂଚଳର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସର୍ଭେ କାର୍ଯ୍ୟ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ଏହି ଅଂଚଳ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ବେଳେ କଠିନ ପରିସ୍ଥିତି ମଧ୍ୟରେ ଏହି ଅଂଚଳର ରାସ୍ତା ଘାଟ, ପୋଲ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଏହା କେବଳ ଲୋକଙ୍କ ସହ ଜନ ସମ୍ପର୍କ ସ୍ଥାପନ କରି ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି। ଯାହାଫଳରେ ଏହି ଅଂଚଳରେ ବିକାଶ ମଧ୍ୟ ସମ୍ଭବ ହୋଇପାରିଛି। ମୂଖ୍ୟମନ୍ତ୍ରୀ ଭିଡ଼ିଓ କନଫେରେନସିଙ୍ଗ ମାଧ୍ୟମରେ ସ୍ୱାଭିମାନ ଅଂଚଳର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ବେଳେ ତାଙ୍କ କାର୍ଯ୍ୟକୁ ଦେଖି ପ୍ରଶଂସା କରି ରାଜ୍ୟର ସମସ୍ତ ଯନ୍ତ୍ରୀମାନେ ଏହାକୁ ଅନୁସରଣ କରିବା ଉଚିତ୍ ବୋଲି କହିଛନ୍ତି।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏହି କନିଷ୍ଠ ଯନ୍ତ୍ରୀ ବଣ୍ଡାଘାଟିରେ ମଧ୍ୟ ବହୁ ଉନ୍ନୟନମୂଳକ କାର୍ଯ୍ୟ କାର୍ଯ୍ୟକାରୀ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ବେଳେ ମାଓବାଦିଙ୍କ ଗଡ କୁହାଯାଉଥିବା ବିଛିନ୍ନାଂଚଳ ତଥା ବର୍ତମାନର ସ୍ୱାଭିମାନ ଅଂଚଳରେ ବିକାଶ ମୁଳକ କାର୍ଯ୍ୟ ଉତ୍ସର୍ଗୀକୃତ ଭାବେ ନିଜର ଦାୟିତ୍ୱ ସମ୍ପାଦକ ପରିବାରେ ଲାଗି ପଡ଼ିଛନ୍ତି। ଏଥିପାଇଁ କେତେବେଳେ ଘୋଡ଼ା ତ ଆଉ କେତେବେଳେ ପାଦରେ ଚାଲି ଚାଲି ଯାଉଥିବା ବେଳେ କେତେବେଳେ ମୋଟର ଲଂଚ ଓ ମୋଟରରେ ଗସ୍ତ କରୁଛନ୍ତି। ଏହାଛଡ଼ା ବିଭିନ୍ନ ସମୟରେ ପାହଡ ଚଢି ବିଭିନ୍ନ ଗ୍ରାମକୁ ଯାଇ ସେହି ଗ୍ରାମଗୁଡିକର ରାସ୍ତା ଘାଟ କିପରି ତିଆରି କରାଯିବ ସର୍ଭେ କରୁଥିବା ଦେଖିବାକୁ ମିଳିଛି ।

ବିଶେଷ କରି ଗୁରୁପ୍ରିୟା ସେତୁ ଲୋକାର୍ପଣ ପରେ ମଧ୍ୟ ସ୍ୱାଭିମାନ ଅଂଚଳର ବିଭିନ୍ନ ପଂଚାୟତକୁ ସ୍ଥଳ ପଥରେ ଯାତାୟତର ସୁବିଧା ନଥିଲା। ୫ଟି ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଭିଡିଓ କନଫେନ୍ସ ମାଧ୍ୟ୍ୟମରେ ସମିକ୍ଷା କରିବା ସମୟରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାର କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରାଙ୍କ କାର୍ଯ୍ୟ ସମ୍ପର୍କରେ ସମସ୍ତଙ୍କ ଦୁଷ୍ଟି ଆକର୍ଷିଣ କରିଥିଲେ। ଅତ୍ୟନ୍ତ ସମ୍ବେଦନଶୀଳ ଅଂଚଳ କୁହା ଯାଉଥିବା ଚିତ୍ରକୋଣ୍ଡା ବ୍ଲକର ପଣସପୁଟ, ଜୋଡାମ୍ବ, ଅଣ୍ଡ୍ରାପାଲ୍ଲୀ, ଯନ୍ତ୍ରୀ, ପାପରମେଟଲା, ବଡପଡା, ବଡପଦର, ଗାଜୁଲମାମୁଡି, ଧୁଳିପୁଟ, ଓ ଖଇରପୁଟ ବ୍ଲକର ମୁଦୁଲିପଡା, ଅଣ୍ଡ୍ରାହାଲ, ବଡଡୁରାଲ, ପଂଚାୟତର ଦାୟିତ୍ୱରେ ଗତ ପାଂଚବର୍ଷ ହେଲା ରହିଥିବାବେଳେ ଏଠାରେ ସବୁବେଳେ ପ୍ରତିକୁଳ ପରିସ୍ଥିତିରେ କାର୍ଯ୍ୟ ସମ୍ପାଦକ କରିଆସୁଛନ୍ତି।

ରାସ୍ତା ଓ ପୋଲ ନିର୍ମାଣ ପାଇଁ ମେଟାଲ, ଲୁହାଛଡ଼, ବାଲି, ସିମେଂଟ ଭଳି ଅନ୍ୟାନ୍ୟ ସାମଗ୍ରୀ ମିଳୁ ନଥିବା ବେଳେ ଲାଲବାହିନୀର ନାଲି ଆଖି ଯୋଗୁଁ ଠିକାଦାରମାନେ ମଧ୍ୟ ଏହି ଅଂଚଳରେ କାର୍ଯ୍ୟ କରିବାକୁ ସାହାସ କରୁ ନଥିଲେ। ତେବେ ଗୁରୁପ୍ରିୟା ସେତୁ ଲୋକାର୍ପଣ ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ବିକାଶ ପ୍ରକ୍ରିୟାକୁ ତ୍ୱାରାନ୍ୱିତ ପାଇଁ ଅଂଟା ଭିଡ଼ିଛନ୍ତି। ସ୍ୱାଭିମାନ ଅଂଚଳର ସମସ୍ତ ଗ୍ରାମ ଓ ପଂଚାୟତ ଯେଭଳି ବ୍ଲକ ମହକୁମା ସହିତ ଯୋଡି ହେବ, ସେଥିପାଇଁ ପ୍ଲାନ ପ୍ରସ୍ତୁତ ଜାରୀ ରହିଛି। ତେବେ ଏହାର ଦାୟିତ୍ୱ ଜିଲ୍ଲା ପ୍ରଶାସନ କନିଷ୍ଟ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ଦେବା ପରେ ବର୍ତମାନ ସୁଦ୍ଧା ସ୍ୱାଭିମାନ ଅଂଚଳରେ ୯୦ କିଲୋମିଟର ମାଟି ରାସ୍ତା ଓ ୨୦ କିଲୋମିଟରରୁ ଉର୍ଦ୍ଧ ପିଚୁ ରାସ୍ତା ନିର୍ମାଣ ଶେଷ ହୋଇଥିବା ଜଣାପଡ଼ିଛି। ତେବେ ଏହି ବିକାଶ ପ୍ରକ୍ରିୟା ପାଇଁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପ୍ରୋତ୍ସାହନ ରହିଥିବା ବେଳେ ପୁଲିସ ବାହିନୀ ମଧ୍ୟ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦେଉଛନ୍ତି।