ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ପି.ଭି-୫୫ ଗ୍ରାମବାସୀମାନେ ଆଜି ଏକ ଟ୍ରକ ଭର୍ତି ଶାଗୁଆନ କାଠକୁ ଜବତ କରିଥିଲେ। ଚୋରାରେ ଶାଗୁଆନ ଗଛ କଟାଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବାର ଖବର ପାଇ ଗ୍ରାମବାସୀମାନେ ଏହାକୁ ଜବତ କରି ରଖିଥିବାର ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାର ଉଦ୍ଧ୍ୱର୍ ହେବ ବୋଲି ଅନୁମାନ କରାଯାଉଛି ।
ଜାଲ ପରମିଟ ବଳରେ ଏହି ମୂଲ୍ୟବାନ କାଠ ସବୁ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ସନ୍ଦେହ ହେବାରୁ ଗ୍ରାମବାସୀମାନେ ଏହି କାଠ ଟ୍ରକକୁ ଧରିଥିଲେ। ଏହା ଜଣାପଡ଼ିବା ପରେ ଟ୍ରକ ଡ଼୍ରାଇଭର କାଠ ସବୁ ତଳେ ପକାଇଦେଇ ଟ୍ରକ ନେଇ କେଉଁଆଡ଼େ ଚାଲିଯାଇଥିଲା। ପୁଷୁଗୁଡ଼ା ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଗୁଆନ କାଠ ସବୁ କଟାଯାଇ ଅନେକ ଦିନ ହେଲା ଚୋରା ଚାଲାଣ କରାଯାଉଥିବାର ଅଭିଯୋଗ ହୋଇଆସୁଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେଉଁ ଚୋରା କାଠ ଚାଲାଣ ହେଉଥିଲା ,ସେଥିରେ ମୋଟୁ ବନ ବିଭାଗର ଏକ ଜାଲ ପରମିଟ ରହିଥିବାର ଜାଣିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ଚୋରା କାଠ ଚାଲାଣରେ ବନ ବିଭାଗର ହାତ ରହିଛି। ତେବେ ଗ୍ରାମବାସୀମାନେ ଆଜି ଏହି କାଠକୁ ଜବତ କରି ରଖିଥିବାର ଜଣାପଡ଼ିଛି।
ଏଠାରେ ସୂଚନା ଯୋଗ୍ୟ ଯେ ମୋଟୁ ବନାଂଚଳ ଅଧୀନରେ ଥିବା ଅନେକ ମୂଲ୍ୟବାନ ଗଛ ଏବେ ଉଭାନ ହୋଇଗଲାଣି। କାଠ ମାଫିଆ ଓ ମୋଟୁ ବନ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ଆଜି ଅନେକ ସଂରକ୍ଷିତ ଜଂଗଲ ପଦା ହୋବାକୁ ବସିଲାଣି। ତେବେ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଳି ମତ ପ୍ରକାଶ ପାଇଛି।