ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ ଦୁଇଟି ଟ୍ରକରେ ୫୩ ଖଣ୍ଡ ଧଉରା ଓ ଅସନ କାଠ ଶନିବାର ପୁରୀରେ ପହଞ୍ଚିଛି। ଶ୍ରୀପଞ୍ଚମୀ ଦିନ କାଠରେ ଅନୁକୂଳ ଦିଆଯିବ। ଏହି ୫୩ ଖଣ୍ଡ କାଠ ମଧ୍ୟରେ ୨୦ ଓ ୧୨ ଫୁଟର ଅସନ ଓ ଧଉରା ୨ଟି ଟ୍ରକ ଯୋଗେ ରଥଖଳାକୁ ପଠାଯାଇଛି । ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ନୟାଗଡ଼ ବନଖଣ୍ଡର ଦଶପଲ୍ଲା ଜଙ୍ଗଲରୁ କାଠ ଆସିଥାଏ ।
ପରମ୍ପରା ଅନୁଯାୟୀ, ରଥଯାତ୍ରାର ନୀତି ମାଘ ମାସ ଅର୍ଥାତ୍ ଫେବୃଆରୀ ମାସରୁ ହିଁ ଆରମ୍ଭ ହୋଇଥାଏ । ଜଙ୍ଗଲରୁ କାଠ ଅଣାଯାଇ ବଡ଼ଦାଣ୍ଡର ରଥଖଳାରେ ପବିତ୍ର ଅକ୍ଷୟ ତୃତୀୟାରୁ ପୂଜା ହୋଇ କାଠ କଟା କାର୍ୟ୍ୟ ଆରମ୍ଭ ହୋଇଥାଏ । ଏହାପରେ ମୁଖ୍ୟ ବିଶ୍ୱକର୍ମା ମହାରଣା ସେବକଙ୍କ ନିର୍ଦ୍ଦେଶାନୁସାରେ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥାଏ।