କାଠଚୋରଙ୍କ ବନ କର୍ମଚାରୀଙ୍କୁ ଆକ୍ରମଣ, ବାପ ଗିରଫ, ୨ ପୁଅ ଫେରାର

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ଗ୍ରାମ୍ୟ ଜଙ୍ଗଲରୁ ବେଆନ ଗଛ କାଟି ଆଣିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରି ୨ ଭାଇ ଫେରାର ହୋଇଯାଇଥିବା ବେଳେ ବାପକୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଗୋଟିଏ ଶଗଡ଼ ଗାଡି, ୧୪ ଖଣ୍ଡ ଶାଳପଟ୍ଟା ଏବଂ ୧୪ ଖଣ୍ଡ ବହ୍ଲା ଜବତ କରିଛି।

ସୂଚନା ଅନୁଯାୟୀ ଗତକାଲି ସକାଳ ୧୦ଟା ସମୟରେ ବନରକ୍ଷୀ ବବିତା ନାଏକ ପୁରମୁଣ୍ଡା ଗ୍ରାମର ପଞ୍ଚାନନ ବେହେରାଙ୍କ ପୁଅ କେଶବ ବେହେରା ଓ କାଳିଆ ବେହେରା ଏକ ଶଗଡ଼ ଗାଡ଼ିରେ ଜଙ୍ଗଲରୁ ଗଛ କାଟି ଆଣୁଥିବା ଦେଖି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର କାଳିଆ ଓ କେଶବ ବବିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ଧମକ ଦେଇ ସେଠାରୁ ଗଛ ନେଇ ଚାଲି ଆସିଥିଲେ। ଏ ସମ୍ପର୍କରେ ବବିତା ଫରେଷ୍ଟର ତୁଷାର ରଞ୍ଜନ ପ୍ରଧାନଙ୍କୁ ସୂଚନା ଦେବାରୁ ଫରେଷ୍ଟର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ପଚରାଉଚୁରା ପାଇଁ ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ।

ସେଠାରେ ଫରେଷ୍ଟରଙ୍କୁ ଦେଖି କେଶବ ଓ କାଳିଆ ତାଙ୍କୁ ମାଡ଼ ମାରି ସେଠାରୁ ଫେରାର ହୋଇଯାଇଥିଲେ। ଫଳରେ ଫରେଷ୍ଟର ଘଟଣା ସମ୍ପର୍କରେ ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ଭବାନୀ କାନ୍ତ ଦାଶଙ୍କୁ ସୂଚନା ଦେବାପରେ ବନବିଭାଗର ସ୍ୱତନ୍ତ୍ର ଦଳ ମାଜିଷ୍ଟ୍ରେଟଙ୍କ ସହ ଅଭିଯୁକ୍ତଙ୍କ ଘରକୁ ଯାଇ ଚଢ଼ଉ କରିଥିଲେ। ଚଢ଼଼ଉ ସମୟରେ ଆକ୍ରମଣ କାରୀ ୨ ଭାଇ ଫେରାର ହୋଇ ଯାଇଥିବାବେଳେ ସେମାନଙ୍କ ଘରୁ ୧୪ ଖଣ୍ଡ ଶାଳପଟ୍ଟା, ୧୪ଟି ବହ୍ଲା ସହ ଗୋଟିଏ ଶଗଡ଼ ଜବତ କରିଥିଲେ। ଏଥି ସହ ଅଭିଯୁକ୍ତଙ୍କ ବାପା ପଞ୍ଚାନନଙ୍କୁ ଗିରଫ କରି ତାଙ୍କ ନାମରେ ମାମଲା ଋୁଜ୍ଜୁ କରି କୋର୍ଟଚାଳାଣ କରିଛି।

ସେହିପରି ଫରେଷ୍ଟରଙ୍କୁ ଆକ୍ରମଣ ଅଭିଯୋଗରେ ଫରେଷ୍ଟର ତୁଷାରଙ୍କ ଅଭିଯୋଗ ଆଧାରରେ ରିଆମାଳ ଥାନା ପୁଲିସ କେଶବ ଓ କାଳିଆ ଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ଋୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଅଭିଯୁକ୍ତ ୨ଭାଇ ଫେରାର ଥିବା ଜଣାପଡ଼ିଛି।