୨୩ ବର୍ଷରୁ କମ୍ ମହିଳା ଟି-୨୦ : ଗୋଆକୁ ୨ ରନରେ ହରାଇଲା ଓଡ଼ିଶା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ସର୍ବଭାରତୀୟ ମହିଳା ୨୩ ବର୍ଷରୁ କମ୍ ଟି-୨୦ ଟ୍ରଫିର ଏକ ମ୍ୟାଚ୍ରେ ଶୁକ୍ରବାର ଓଡ଼ିଶା ଗୋଆ ବିପକ୍ଷରେ ମାତ୍ର ୨ ରନ୍ରେ ପରାସ୍ତ କରି ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ଏଥିସହ ଦଳ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ପୂର୍ବରୁ ଦଳ ବୁଧବାର ଛତିଶଗଡ଼କୁ ୭ ୱିକେଟରେ ହରାଇଥିଲା। ଶୁକ୍ରବାର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୬ ୱିକେଟରେ ୧୨୨ ରନ୍ କରିଥିଲା। ଏହାର ଜବାବରେ ଗୋଆ ନିର୍ଦ୍ଧାରିତ ଓଭର୍ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୨୦ ରନ୍ କରି ଅଳ୍ପକେ ପରାଜୟ ବରଣ କରିଥିଲା।

ଓଡ଼ିଶା ପକ୍ଷରୁ ଓପନର ଅଞ୍ଜଳି ସିଂହ ୧୬ ବଲରେ ୬ଟି ଚୌକା ସହ ୨୬ ରନ୍ କରିଥିବା ବେଳେ ମୋନାଲିସା ରାଉତ ୩ଟି ଚୌକା ସହ ୨୬ ରନ୍, ପୂନମ୍ ନାୟକ ୨ଟି ଚୌକା ଜରିଆରେ ୨୦ ରନ୍ କରିଥିଲେ। ଏହାଛଡ଼ା ଇନ୍ଦ୍ରାଣୀ ଛତ୍ରିଆ ୨ଟି ଚୌକା ଜରିଆରେ ୧୩ ଏବଂ ଅନ୍ୟତମ ଓପନର କାଜଲ ଜେନା ୨ଟି ଚୌକା ମାଧ୍ୟମରେ ୧୦ ଓ ସଙ୍ଗୀତା ଖାଡିଆ ଗୋଟିଏ ଚୌକା ସହ ୧୦ ରନ୍ କରିଥିଲେ। ଗୋଆ ପକ୍ଷରୁ ଶ୍ରେୟା ପରବ ଓ ଦୀକ୍ଷା ଗାୱଡେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ବ୍ୟାଟିଂରେ ଗୋଆ ପକ୍ଷରୁ ଓପନର ପୂର୍ବଜା ଭେର୍ଲେକାର୍ ୭ଟି ଚୌକା ଓ ଗୋଟିଏ ଛକା ଜରିଆରେ ୫୧ ରନ୍ର ବଳିଷ୍ଠ ଇନିଂସ ଖେଳିଥିବା ବେଳେ ତେଜସ୍ୱିନୀ ଦୁରାଗାଡ୍ ୩ଟି ଚୌକା ସହ ୩୭ ରନ୍ କରିଥିଲେ। କିନ୍ତୁ ଏହି ଦୁଇ ଜଣଙ୍କ ଇନିଂସ ଦଳକୁ ବିଜୟୀ କରାଇବା ସକାଶେ ଯଥେଷ୍ଟ ହୋଇ ନ ଥିଲା। ଦ୍ୱିତୀୟ ୱିକେଟ୍ ପାଇଁ ପୂର୍ବଜା ଓ ତେଜସ୍ୱିନୀ ଦ୍ୱିତୀୟ ୱିକେଟରେ ୮୫ ରନ୍ ଯୋଡ଼ିଥିଲେ। ଓଡ଼ିଶା ପକ୍ଷରୁ ତରାନା ପ୍ରଧାନ, ଲୌସା ଦାଶ ଓ ଅଞ୍ଜଳି ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।