ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଲେ ମହିଳା

କୋରୁକୋଣ୍ଡା,ଏନ୍ଏନ୍ଏସ୍: ସାରା ଦେଶରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଲୋକମାନେ ନିଜର ରୋଜଗାର ହରାଇ ବସିଛନ୍ତି। ଏହି ସମୟରେ ଲୋକଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଋଣ ପରିଶୋଧକୁ କୋହଳ କରିଥିଲେ। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶାବଳୀକୁ ନମାନି ଋଣ ପରିଶୋଧ କରିବାକୁ ବାଧ୍ୟ କରିବା ସହ ଲୋକଙ୍କୁ ଧମକ ଦେଇଛି ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ ନାମକ ଘରୋଇ ବ୍ୟାଙ୍କ। ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତର କିଛି ଗ୍ରାମରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର କିଛି ଗ୍ରାମ ଯଥା:- ଆଡିଗୁଡ଼ା, କାଲିଆମୁଣ୍ଡା, ପାଟଣାଗୁଡ଼ା, ସେମିଳିଗୁଡା, ସାହେବଗୁଡା, ପୁଷ୍ପାଲି, ବନୁର ଆଦି ଗ୍ରାମଗୁଡିକର ମହିଳାମାନେ ଫ୍ୟୁଜନ ନାମକ ଘରୋଇ କମ୍ପାନୀରୁ ଋଣ ନେଇଥିଲେ। ଲକଡାଉନ ହେତୁ କାମ ଧନ୍ଦା ନାହିଁ ତେଣୁ ସେମାନେ କିଛି ମାସ ନିଜ ଋଣ ପରିଶୋଧ କରିପାରିବେ ନାହିଁ ବୋଲି କହିଥିଲେ। ଏହାସହ କମ୍ପାନୀକୁ କିଛି ସମୟ ମଧ୍ୟ ମାଗିଥିଲେ।

କିନ୍ତୁ କମ୍ପାନୀ ସେମାନଙ୍କ ପରିସ୍ଥିତିକୁ ନବୁଝି ଟଙ୍କା ଫେରସ୍ତ କରିବା ନିମନ୍ତେ ବାଧ୍ୟ କରିଥିଲେ। ତେଣୁ ଲୋକମାନେ ନିଜ ଘରର ସମ୍ବଳକୁ ବନ୍ଧା ପକାଇ ଋଣ ଟଙ୍କା ପରିଶୋଧ କରିଥିଲେ। କିନ୍ତୁ ବର୍ତ୍ତମାନ ଚାଷ କାର୍ୟ୍ୟ ଚାଲୁଥିବା ହେତୁ ଅତି କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରୁଥିବା କହିଥିଲେ। ଏହାସହ ଏହି ଗ୍ରାମଗୁଡିକର ମହିଳା ମାଆମାନେ ଚାଷ କାର୍ଯ୍ୟ ଶେଷ ହେବା ପରେ ନିଜର ସବୁ ଟଙ୍କା ପରିଶୋଧ କରିବେ ବୋଲି ମଧ୍ୟ କହିଥିଲେ। ହେଲେ ଫାଇନାନ୍ସ କମ୍ପାନୀର କିଛି କର୍ମଚାରୀ ଟଙ୍କା ଆଦାୟ କରିବାକୁ ଯାଇ ଗ୍ରାମର ମହିଳାମାନଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାସହ ନିଜର ଘର, ଜମିବାଡ଼ି, ଛେଳି, ଗାଈ ବିକ୍ରି କରି କିମ୍ବା ସୁନା ବନ୍ଧା ପକାଇ ଟଙ୍କା ଦିଅ ବୋଲି ଧମକ ଦେଇଥିଲେ। ତେଣୁ ଶେଷରେ ଗ୍ରାମର ମହିଳା ମଙ୍ଗୁଳି ଗୋଲରୀ, ରୀନା ମାଡକାମୀ, ଶଶୀ ପାତ୍ର, ବାସନ୍ତୀ ପାତ୍ର, ମନିକା ମାଝୀ, ଦେବୀ ମାଡକାମୀ ଆଦି ଗ୍ରୁପର ସଦସ୍ୟମାନେ ଏହାକୁ ବିରୋଧ କରି ଫାଇନାନ୍ସ କମ୍ପାନୀ ବିରୋଧରେ ଏକ ଅଭିଯୋଗ ପତ୍ର ସ୍ଥାନୀୟ କୋରୁକୋଣ୍ଡା ବିଡ଼ିଓ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏହାସହ ସେମାନେ ଜାନୁଆରୀ ମାସ ପର୍ଯ୍ୟନ୍ତ ସମୟ ଦେଲେ ନିଜର ସବୁ ଋଣ ପରିଶୋଧ କରିବେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।