ପ୍ରଶାସନରୁ ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ,ଏନ୍ଏନ୍ଏସ୍: ପୁଲିସ ଓ ପ୍ରଶାସନ ଠାରୁ ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଜି ଜଣେ ବିଧବା ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘଟିଛି ଏହି ଘଟଣା। ମହିଳା ଜଣଙ୍କ ଆତ୍ମାହୁତି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ଉଦ୍ଧାର କରିଛି।

ମହିଳାଙ୍କ ଘର ବିକ୍ରମପୁର ଥାନା ଅଞ୍ଚଳର ଗୋବରା ଗାଁରେ। ଜମିବାଡ଼ି ଭାଗବଣ୍ଟାକୁ ନେଇ ମହିଳାଙ୍କ ଦେଢ଼ଶୂର ତାଙ୍କୁ ହଇରାଣ କରୁଥିବା ନେଇ ସେ ପୁଲିସ ଓ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ୧୪ ବର୍ଷ ତଳେ ସେ ସ୍ୱାମୀଙ୍କୁ ହରାଇଥିଲେ। ପରେ ମହିଳା ତାଙ୍କ ରୋଗାକ୍ରାନ୍ତ ପୁଅକୁ ନେଇ ଅତି ଦୁଃଖକଷ୍ଟରେ ଚଳିଆସୁଛନ୍ତି। ଏହା ସତ୍ତ୍ୱେ ତାଙ୍କୁ ହଇରାଣ କରାଯିବା ଏବଂ ପୁଲିସ ସହାୟତା ନକରିବାରୁ ସେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି।