ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର କୋଭିଡ କେୟାର ସେଣ୍ଟରରେ ଗତ ୪ ତାରିଖରେ ଜଣେ ମହିଳା ରୋଗୀଙ୍କୁ କାର୍ଯ୍ୟରତ ଡାକ୍ତର ଯୌନ ନିର୍ୟାତନା ଦେବା ଘଟଣାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତକାଲି ଟ୍ୱିଟ୍ କରିଥିଲେ । ଏହି ଘଟଣାରେ ବାରମ୍ବାର ବିଭିନ୍ନ ଅଧୀକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବାବେଳେ ଗତକାଲି ନରସିଂହ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିବା ସହ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଉକ୍ତ ଟ୍ୱିଟରେ ନରସିଂହ ବଲାଙ୍ଗିର ସମେତ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଏକ ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିଲେ ମଧ୍ୟ କିପରି ହସ୍ପିଟାଲରେ ପ୍ରବେଶ କରିବାକୁ ଦିଆଯାଇନଥିଲା ସେସମ୍ପର୍କରେ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ବଲାଙ୍ଗିର କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ଗତ ୪ ତାରିଖ ରାତିରେ ଉକ୍ତ ସେଣ୍ଟରରେ କାର୍ଯ୍ୟରତ ଡାକ୍ତର ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବାକୁ ପ୍ରୟାସ କରିଥିଲେ । ମହିଳା ଜଣକ ପାଟି କରିବାରୁ ଉପସ୍ଥିତ ବିଭିନ୍ନ ରୋଗୀଙ୍କ ପରିଜନ ଡାକ୍ତରଙ୍କୁ କାବୁ କରି ପ୍ରବଳ ମାଡ଼ ମାରି କାନ ଧରି ଉଠବସ କରାଇଥିଲେ । ଡାକ୍ତର ଜଣକ ନିଜର ଭୁଲ ସ୍ୱୀକାର କରିବା ପରେ ତାଙ୍କୁ ପୁଲିସର ଜିମା ଦେଇଥିଲେ । ପୁଲିସ ଉକ୍ତ ଡାକ୍ତରଙ୍କୁ ରାତି ଅଧିଆ ବଲାଙ୍ଗିର ଆଦର୍ଶ ଥାନାକୁ ଆଣିଥିଲା । ସେଠାରେ ଡାକ୍ତର ଓ ପୀଡ଼ିତାଙ୍କ ପରିବାର ମଧ୍ୟରେ ସଲାସୁତୁରା ହେବାପରେ ଡାକ୍ତରଙ୍କ ବିରୁଦ୍ଧରେ କୌଣସି ମୁକଦ୍ଦମା ରୁଜୁ କରାନଯାଇ ତାଙ୍କୁ ଛାଡ଼ି ଦିଆଯାଇଥିଲା । ପରଦିନ ସକାଳୁ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଚିକିତ୍ସା ଅଧିକାରୀ କୋଭିଡ କେୟାର ସେଣ୍ଟର ଅଧିକାରୀଙ୍କୁ ଏହି ଘଟଣା ଉପରେ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ କେୟାର ସେଣ୍ଟର ଅଧିକାରୀ ଏହି ଘଟଣାର ତଦନ୍ତ କରି ଜିଲ୍ଲା ଅଧିକାରୀଙ୍କୁ ଏ ସଂକ୍ରାନ୍ତୀୟ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଡାକ୍ତରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।