ପ୍ରତାରିତ ଯୁବତୀଙ୍କୁ ନ୍ୟାୟ ପାଇଁ ଥାନା ଘେରିଲେ ମହିଳା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମରେ ଜଣେ ପ୍ରତାରକ ପ୍ରେମିକ ଘର ଦୁଆରରେ ଜଣେ ପ୍ରେମିକା ଗତ ୫ ତାରିଖରୁ ଶଙ୍ଖା ସିନ୍ଦୁର ଦାବିରେ ଧାରଣା ଦେଇ ବସି ରହିବା ଘଟଣାରେ ଆଜି ଭିନ୍ନ ମୋଡ଼ ଦେଖିବାକୁ ମିଳିଛି । ଉକ୍ତ ଘଟଣାରେ ଯୁବତୀଙ୍କ ଅନୁରୋଧରେ ଗାଁ ଦାଣ୍ଡରେ ୱାର୍ଡ ସଭ୍ୟଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଭିଯୁକ୍ତର ପରିବାର ଲୋକଙ୍କୁ ଘଟଣାର ସମାଧାନ କରିବାକୁ ତାଗିଦ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗ୍ରାମର ଶତାଧିକ ମହିଳା ରିଆମାଳ ଥାନାକୁ ଆସି ଫେରାର ଅଭିଯୁକ୍ତ ସଞ୍ଜୟକୁ ଖୋଜି ବାହାର କରିବା ସହ ଉଭୟଙ୍କ ବିବାହ କରାଇବା ଦାବିରେ ଥାନାରେ ବସି ରହିଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମର ପ୍ରେମିକ ସଞ୍ଜୟ ସାହୁ ନାକଟିଦେଉଳ ଥାନା ଅନ୍ତର୍ଗତ ହିନ୍ତସରା ଗ୍ରାମର ପ୍ରେମିକା ଅଲି ସାହୁଙ୍କ ସହ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ । ଅନେକ ସମୟରେ ଶାରୀରିକ ସମ୍ପର୍କ ରଖିବା ସହ ବିଭିନ୍ନ ଆଳ କରି ଲକ୍ଷାଧିକ ଟଙ୍କା ନେଇଥିବା ପ୍ରେମିକା ଅଲି ଅଭିଯୋଗ କରିଛନ୍ତି । ଏନେଇ ଅଲି ୨ବର୍ଷ ପୂର୍ବେ ନାକଟିଦେଉଳ ଥାନାରେ ପ୍ରେମ ପ୍ରତାରଣା ଅଭିଯୋଗ କରିଥିବାବେଳେ ସଞ୍ଜୟ ଗିରଫ ହୋଇ ଦେଢ଼ ବର୍ଷ ଜେଲରେ ବିଚାରଧୀନ ବନ୍ଦୀ ଭାବେ ରହିଥିଲେ । ତେବେ ସଞ୍ଜୟଙ୍କ ପରିବାର ଲୋକ ଅଲିଙ୍କୁ ବୁଝାସୁଝା କରି କୋର୍ଟରେ ଆପୋଷ ସମାଧାନ ନେଇ ଦରଖାସ୍ତ କରିବାରୁ ସଞ୍ଜୟ ଜେଲରୁ ମୁକୁଳି ଥିଲେ । ପରେ ସଞ୍ଜୟ ନିଜ ଗାଁରେ ଦୋକାନ ଖୋଲିବା ପାଇଁ ଅଲିଠୁ ବିଭିନ୍ନ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଆଣି ଗତ କିଛିଦିନରୁ ଆଉ ତାଙ୍କୁ ଧରାଛୁଆଁ ଦେଉନାହାନ୍ତି । ଫୋନ ବ୍ଲକ କରିବା ସହ ଅନ୍ୟ କୌଣସି ନମ୍ବର ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କଲେ ଗାଳି ଗୁଳଜ ଓ ହତ୍ୟା ଧମକ ଦେଉଥିବା ଗଣମାଧ୍ୟମରେ ଅଲି ଅଭିଯୋଗ କରିଛନ୍ତି । ଗତକାଲି ସକାଳୁ ଅଲି ଧାରଣାରେ ବସିଥିବାବେଳେ ପ୍ରେମିକ ସଞ୍ଜୟ ଘରୁ ଫେରାର ରହିଛନ୍ତି ।