ପେଟରେ କପଡ଼ା ରହିଯିବାରୁ ମହିଳାଙ୍କ ମୃତ୍ୟୁ : ଡାକ୍ତରଙ୍କ ବିରୋଧରେ ମାମଲା

ଚେନ୍ନାଇ,ଏଜେନ୍ସି: ତାମିଲନାଡୁର କଡାଲୁରସ୍ଥିତ ବିରୁଧାଚଲମ୍ ସରକାରୀ ହସ୍ପିଟାଲ୍ରେ ଡାକ୍ତରଙ୍କ ଭୁଲ୍ ଯୋଗୁଁ ଜଣେ ମହିଳା ପ୍ରସବର ୫ ଦିନ ପରେ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ହସ୍ପିଟାଲ୍ ବିରୋଧରେ ମାମଲା ରୁଜୁ କରିଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ ୨୪ ବର୍ଷୀୟା ପ୍ରିୟାଙ୍କର ସରକାରୀ ହସ୍ପିଟାଲ୍ରେ ସିଜରିଆନ୍ ହୋଇ ସନ୍ତାନ ପ୍ରସବ କରାଯାଇଥିଲା। ମାତ୍ର ତାଙ୍କ ପେଟରେ କପଡ଼ା ରହିଯିବାରୁ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ପୁଡୁଚେରୀସ୍ଥିତ ଜିପମେର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରିୟାଙ୍କ ମୃତ୍ୟୁ ହୋଇଛି। ପ୍ରିୟାଙ୍କ ପେଟରେ କପଡ଼ା ରହିଯାଇଥିବା ଜିପମେର ଡାକ୍ତର କହିବା ପରେ ତାଙ୍କର ସ୍ୱାମୀ ରାଜକୁମାର କଡ଼ାଲୁର ସରକାରୀ ହସ୍ପିଟାଲ୍ ବିରୋଧରେ ଏତଲା ରୁଜୁ କରିଛନ୍ତି।

ବିରୁଧାଚଲମ୍ ସରକାରୀ ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି, ଆମେ ଜିପମେର ହସ୍ପିଟାଲ୍ରୁ ସରକାରୀ ରିପୋର୍ଟକୁ ଅପେକ୍ଷା କରିଛୁ। ହସ୍ପିଟାଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରକାରୀ ହସ୍ପିଟାଲ୍ରୁ ମହିଳା ଜଣଙ୍କ ଡିସଚାର୍ଜ ହେବାପରେ ତାଙ୍କର ପରିବାର ତାଙ୍କୁ ଜିପମେର ହସ୍ପିଟାଲ୍କୁ ନେଇଥିଲେ। ସେଠାରେ ପୁଣି ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ଡାକ୍ତରମାନେ ମହିଳାଙ୍କୁ ବଞ୍ଚାଇ ପାରିନଥିଲେ। ଅସ୍ତ୍ରୋପଚାର ପରବର୍ତ୍ତୀ ସଂକ୍ରମଣ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି କୁହାଯାଉଛି। ଇତିମଧ୍ୟରେ ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ୍କୁ ନୋଟିସ୍ ଜାରି କରି ମହିଳାଙ୍କ ଚିକିତ୍ସା ରିପୋର୍ଟ ମାଗିଛନ୍ତି।