ରାୟଗଡାରେ ଜାତୀୟ ମହିଳା ଆୟୁକ୍ତ ସଦସ୍ୟା, ମହିଳା ସଶକ୍ତିକରଣ ଯୋଜନାର କଲେ ସମୀକ୍ଷା

ରାୟଗଡା,ଏନ୍ଏନ୍ଏସ୍: ଜାତୀୟ ମହିଳା ଆୟୁକ୍ତ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ବୁଧବାର ରାୟଗଡା ଜିଲ୍ଲା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ମହିଳା ସଶକ୍ତିକରଣ ଯୋଜନା ଏବଂ ତାର କାର୍ଯ୍ୟକାରୀ ସମ୍ବନ୍ଧୀୟ ସମୀକ୍ଷା ପରେ ମହିଳାଙ୍କ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ସନ୍ତୋଷଜନକ ବୋଲି କହିଛନ୍ତି।

ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା ସଭାକକ୍ଷଠାରେ ଜିଲ୍ଲାପାଳ ପ୍ରମୋଦକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଜାତୀୟ ମହିଳା ଆୟୁକ୍ତ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଯୋଗଦେଇ ରାୟଗଡା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମହିଳା କଲ୍ୟଣକାରୀ ଯୋଜନ ସମ୍ପର୍କିତ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଉତ୍ତମ ଶିକ୍ଷା ଦେବା ସହ ବିଭିନ୍ନ ଖେଳ ପ୍ରତି ଆକୃଷ୍ଟ କରାଯାଉ, ଯାହାଦ୍ୱାରା ଛାତ୍ରୀମାନେ ରାଜ୍ୟ ତଥା ଜାତୀୟସ୍ତରରେ ଖେଳି ଜିଲ୍ଲା ପ୍ରତି ଗୌରବ ଆଣିପାରିବେ ବୋଲି ସେ କହିଥିଲେ। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଡଃ ଶ୍ରବଣା ବିବେକ ଏମ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ରାୟଗଡା ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗୁଣପୁର ଉପ-ଜିଲ୍ଲାପାଳ ବି.ଏସ.ବଳିରାମ ଉପସ୍ଥିତ ଥିଲେ।

ରାୟଗଡା ଜିଲ୍ଲାରେ ନିର୍ଯାତିତା ମହିଳା ମାନଙ୍କ ପାଇଁ କାମ କରୁଥିବା ବିଭିନ୍ନ ସଂସ୍ଥା ଏବଂ ଆଶ୍ରମ, ସେବାଶ୍ରମ ବିଦ୍ୟାଳୟ ଗୁଡିକରେ ରହି ଅଧ୍ୟୟନ କରୁଥିବା ଛାତ୍ରୀ ମାନଙ୍କ ସଂପର୍କରେ ବିଭାଗୀୟ ଅଧିକାରୀ ମାନେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଜିଲ୍ଲାର ସ୍ଥିତି ସଂପର୍କରେ ବୁଝାଇଥିଲେ।

ରାଷ୍ଟ୍ରିୟ ମହିଳା ଆୟୋଗର ସଦସ୍ୟା ଚନ୍ଦ୍ରମୁଖ ଦେବୀ ଜିଲ୍ଲାରେ ଥିବା ବିଭିନ୍ନ ଆଶ୍ରମ, ସେବାଶ୍ରମ,କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କି କି ପ୍ରକାର ସୁବଧା ପ୍ରଦାନ କରାଯାଉଛି ସେ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ମହିଳାଙ୍କୁ ନ୍ୟାୟ ଏବଂ ସଶକ୍ତିକରଣ କ୍ଷେତ୍ରରେ ଜିଲ୍ଲାର କାର୍ଯ୍ୟ ସନ୍ତୋଷଜନକ ବୋଲି ଚନ୍ଦ୍ରମୁଖୀ ଦେବୀ କହିଛନ୍ତି।