ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳା ମୃତ

ଜଗତସିଂହପୁର,ଏନ୍ଏନ୍ଏସ୍: ଶୁକ୍ରବାର ଭୋରରେ ତିର୍ତ୍ତୋଲ ଥାନା ରଘୁନାଥପୁର ବ୍ଲକ୍‌ଅନ୍ତର୍ଗତ ଛପଡ଼ା ପଞ୍ଚାୟତ ଜୟପୁର ଗ୍ରାମର ବସନ୍ତ ପ୍ରଧାନଙ୍କ ସ୍ତ୍ରୀ ଭାନୁପ୍ରଭା ପ୍ରଧାନ(୫୫) ଘର ନିକଟରେ ଫୁଲ ତୋଳୁଥିଲେ। ଏହି ସମୟରେ ଫୁଲ ଗଛକୁ ଲାଗିକରି ଥିବା ଓଦା ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସିଥିଲେ।

ତେବେ ଲଗଣ ବର୍ଷାରେ ବିଦ୍ୟୁତ୍ ଖୁଣ୍ଟ ସର୍ଟସର୍କିଟ ହେବା ନେଇ ଭାନୁପ୍ରଭା ବିଦ୍ୟୁତ୍ ଆଘାତର ଶିକାର ହୋଇ ଘଟଣା ସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ସୂଚନା ପାଇ ଭାନୁପ୍ରଭାଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।